ଓଲଟା ବାଟରେ ଚାଲିଲେ କି ତଥାଗତ ? ସାକ୍ଷାତକାରରେ ବିଜେଡିକୁ କଲେ ଟାର୍ଗେଟ, କହିଲେ, ଦଳରେ ନାହିଁ ଚିନ୍ତାଧାରାର ରାଜନୀତି, ଚାଲିଛି ୱାନମ୍ୟାନ୍ ସୋ’

1,131

କନକ ବ୍ୟୁରୋ : ସାଂସଦ ତଥାଗତ ଶତପଥି, ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ଏପରି କିଛି କହିଛନ୍ତି, ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ତଥାଗତ କହିଛନ୍ତି, କୌଣସି ଚିନ୍ତାଧାରାକୁ ନେଇ ବିଜେଡି ଗଠିତ ହୋଇନାହିଁ, ଏହା ୱାନ୍ ମ୍ୟାନ୍ ସୋ’ । ନବୀନ ପଟ୍ଟନାୟକଙ୍କ ଉପରେ ଦଳ ସଂପୂର୍ଣ୍ଣ ନିର୍ଭରଶୀଳ । ବାତ୍ୟା ଫୋନିର ମୁକାବିଲା ସରକାର ସଫଳ ହୋଇନଥିବା କହିଛନ୍ତି ତଥାଗତ । ତେବେ ତଥାଗତଙ୍କ ଏପରି ବୟାନର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ତଥାଗତ କହିଛନ୍ତି, ବିଜୁ ଜନତା ଦଳ ସଂପୂର୍ଣ୍ଣ ଭାବେ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭରଶୀଳ । ତାଙ୍କ ଛଡ଼ା ଦଳରେ ଅନ୍ୟମାନେ ଗୁରୁତ୍ୱହୀନ । ତଥାଗତ ଆହୁରି ମଧ୍ୟ କହିଛନ୍ତି, କୌଣସି ଚିନ୍ତାଧାରାକୁ ଆଧାର କରି ରାଜନୈତିକ ଦଳ ଭାବେ ବିଜେଡି ଗଠିତ ହୋଇନାହିଁ, ଯାହା ଦୀର୍ଘକାଳ ତିଷ୍ଠି ରହିବ । ସେପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଖବରକାଗଜର ସଂପାଦକ ଭାବେ ଏପରି କହିଥାଇପାରନ୍ତି । ଯଦି ସାଂସଦ ଭାବେ କହିଥାନ୍ତେ ତେବେ ୪ ଥର ବିଜେଡିରୁ ନିର୍ବାଚନ ଜିତିଥିବା ବେଳେ କାହିଁକି ଏପରି କହିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।

କେବଳ ଏତିକି ନୁହେଁ, ତଥାଗତ କହିଛନ୍ତି, ସରକାର ଦକ୍ଷତାର ସହ ବାତ୍ୟା ଫୋନିର ମୁକାବିଲା କରିପାରିନାହାନ୍ତି । ଏପରିକି ୨୦୨୪ରେ ସରକାର ବଦଳିବ, ନୂଆ ନେତୃତ୍ୱ ଆସିବ ବୋଲି ଭବିଷ୍ୟତବାଣୀ କରିଛନ୍ତି ତଥାଗତ । ୨୦୧୯ ନିର୍ବାଚନ, ବିଜେଡି ଓ ନବୀନ ସରକାରଙ୍କ ସଂପର୍କରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତଥାଗତ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ସାକ୍ଷାତକାରରେ ତଥାଗତଙ୍କୁ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ଖବରକାଗଜର ସଂପାଦକ ଭାବେ ଉଲ୍ଲେଖ କରାଯାଇଛି । ତେବେ ଖବରକାଗଜର ସଂପାଦକ ଭାବେ କିମ୍ବା ଜଣେ ସାଂସଦ ଭାବେ ତଥାଗତ ଏଭଳି ମନ୍ତବ୍ୟ ଦେଇଛନ୍ତି, ଏ ନେଇ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।