ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡ଼ିଲେ ତାରା : ବିଧି ଅନୁସାରେ ଗୃହଚାଲୁ ନଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ

265

କନକ ବ୍ୟୁରୋ : ଗୃହରେ ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡ଼ିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଧି ଅନୁସାରେ ଗୃହ ଚାଲୁ ନଥିବା ଅଭିଯୋଗ କରି ସେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ କାଗଜ ଫୋପାଡ଼ିଛନ୍ତି । ଆଉ ଏହ ଘଟଣାକୁ ନିଜେ ସ୍ୱୀକାର ମଧ୍ୟ କରିଛନ୍ତି ତାରା । ବାଚସ୍ପତି ନିୟମ ଉପରେ ଯାଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପବିତ୍ର ଗୃହରେ ଏବେ କିଛି ନିୟମ ନାହିଁ, ନିୟମର ଅବମାନନା କରାଯାଉଛି । ପଦର ବ୍ୟବହାର କରିପାରୁ ନାହାନ୍ତି ବାଚସ୍ପତି । ବିଧାନସଭା ବନ୍ଦ କରିଦେବା ଦରକାର । ସମସ୍ତ ମନ୍ତ୍ରୀମାନେ ଏବେ ପାଟକୁରାରେ ଡେରା ପକାଇଛନ୍ତି ।

ଜନତା ଅପେକ୍ଷା କରି ବସିଛନ୍ତି ବିଧାନସଭାରେ ବିଧାୟକମାନେ କ’ଣ ପ୍ରଶ୍ନ କରୁଛନ୍ତି ଆଉ ମନ୍ତ୍ରୀମାନେ କ’ଣ ଉତ୍ତର ଦେଉଛନ୍ତି । ହେଲେ ଗୃହରେ ମନ୍ତ୍ରୀ ମରୁଡ଼ି ପଡ଼ିଛି । ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତ ଭାରପ୍ରାପ୍ତ ମନ୍ତ୍ରୀ । ମନ୍ତ୍ରୀମାନେ ପାଟକୁରା ନିର୍ବାଚନରେ ମାତିଛନ୍ତି । ଏପରିସ୍ଥଳେ ବାଚସ୍ପତି କାହିଁକି ବିଧାନସଭା ଚଳାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାରା । ତେଣୁ ପଦର ଅମର୍ଯ୍ୟାଦା ହେବା ସ୍ୱାଭାବିକ କଥା । ଭାରପ୍ରାପ୍ତ ମନ୍ତ୍ରୀମାନେ ଠିକ ଭାବରେ ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି । ଆଜି ବିଧାନସଭାରେ ପାଞ୍ଚଟି-ଛଅଟି ବିଭାଗ ଉପରେ ଆଲୋଚନା ହେଉଥିବା ସ୍ଥଳେ ଉତ୍ତର ରଖିଥିଲେ ମାତ୍ର ୨ ଜଣ ମନ୍ତ୍ରୀ । ମନ୍ତ୍ରୀମାନେ ସଠିକ ଭାବରେ ଗୃହରେ ଉତ୍ତର ରଖିପାରୁ ନାହିଁ ।

ବିଜେପିକୁ ଟାର୍ଗେଟ କରି ତାରା କହିଛନ୍ତି, ବିଜେପିର ୨୩ ଜଣ ବିଧାୟକ ଥିଲେ ହେଁ ତାଙ୍କ ଭିତରେ ତାଳମେଳ ନାହିଁ । ଜଣେ ଧାନ ପ୍ରସଙ୍ଗ ଉଠାଇବା ବେଳେ ଜଣେ କାଳିଆ କଥା ଉଠାଇଛନ୍ତି । ଆଉ କିଏ ପୁଣି ପାଟକୁରା କଥା କହୁଛି । ମୁଖ୍ୟ ବିିରୋଧୀ ଦଳର ସଦସ୍ୟମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କିନ୍ତୁ କଂଗ୍ରେସର ୯ ଜଣ ବିଧାୟକ ଗୋଟିଏ ମତ ଦେଇଛନ୍ତି । କଂଗ୍ରେସ ବିଧାୟକଙ୍କ ସ୍ପଷ୍ଟ ନୀତି ରହିଛି ।