କନକ ବ୍ୟୁରୋ : ଖୁବଶୀଘ୍ର ‘ହାତଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା । ଗତବର୍ଷ ଏପ୍ରିଲ ମାସରେ ବିଭିନ୍ନ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିଲେ ହେମା । ଆଉ ଏବେ ହେମା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେବେ ହେମା । ଏନେଇ ପ୍ରାରମ୍ଭିକ ପର‌୍ୟ୍ୟାୟରେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ହେମା ଭେଟି ସାରିଥିବା ବେଳେ ଏବେ ରାହୁଲଙ୍କୁ ଭେଟି ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି । ରାହୁଲଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ ହେମା ଗମାଙ୍ଗ ।

Advertisment

ତେବେ ହେମାଙ୍କ କଂଗ୍ରେସରେ ସାମିଲ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛନ୍ତି କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ହେମା କଂଗ୍ରେସକୁ ଫେରିଲେ ଦଳ ପାଇଁ ଖରାପ ହେବ । ସେ କଂଗ୍ରେସକୁ ଧୋକ୍କା ଦେଇ ବିଜେଡ଼ିରେ ମିଶିଥିଲେ । ବର୍ତ୍ତମାନ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବାପାଇଁ ଚାହୁଁଛନ୍ତି । ବର୍ତ୍ତମାନ ଚାଲିଛି ମିଶ୍ରଣ ପର୍ବ । କଂଗ୍ରେସ ଦଳ ସମୂଦ୍ର ସଦୃଶ । ସେ ଆସିଲେ କିଛି କ୍ଷତି ହେବନି କି କିଛି ଲାଭ ମଧ୍ୟ ହେବ ନାହିଁ । ହେମା କଂଗ୍ରେସକୁ ଧୋକ୍କା ଦେଇଛନ୍ତି । ସେ ଏବେ ଦଳରେ ସାମିଲ ହେବା ଉଚିତ୍ ନୁହେଁ । ହେମାଙ୍କ ପ୍ରତି ଲୋକେ ଅସନ୍ତଷ୍ଟ । ହେମା ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ।

ତେବେ ହେମା କଂଗ୍ରେସରେ ମିଶିବେ କି ନାହିଁ ସେକଥା କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଚାର ବିମର୍ଷ କରି ନିଷ୍ପତ୍ତ ନେବେ । ସେ ବିଷୟରେ ମୋତେ କିଛି କୁହାଯାଇନାହିଁ ବୋଲି କହିଛନ୍ତି ତାରା । ତେବେ ୨୦୧୪ରେ ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ହେମାଙ୍କୁ କଂଗ୍ରେସ ହାଇକମାଣ୍ଡ ବିଶ୍ୱାସକୁ ନେଇ ଦଳରେ ମିଶାଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।