ତିନି ତଲାକ ବିଲକୁ ସମର୍ଥନ ଜଣାଇଲା ବିଜେଡ଼ି : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବିକଲେ ତାରା 

139

କନକ ବ୍ୟୁରୋ : ଶୂନ୍ୟକାଳରେ ଆଜି ବିଜେଡି-ବିଜେପି ଭିତିରି ସମ୍ପର୍କ କଥା ଉଠାଇଛନ୍ତି  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡ଼ି-ବିଜେପି ଭିତିରି ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ହେଲେ ଦୁଇ ଦଳ ମୁହଁରେ ମାନିବାକୁ ନାରାଜ । ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ମିଳିତ ଭାବେ ସରକାର ଚଳାଉଛନ୍ତି । ବିଜେଡ଼ି ସମଦୂରତ୍ୱର ଦ୍ୱାହି ନେଇ ଡବଲ ଷ୍ଟାଣ୍ଡାର୍ଡ଼ ଗେମ୍ ଖେଳୁଛି । କେଉଁ ସ୍ୱାର୍ଥରେ ବିଜେପିର ସମସ୍ତ ବିଲକୁ ସମର୍ଥନ ଜଣାଉଛି ବିଜେଡ଼ି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ।  ଏନଡ଼ିଏର ସହଯୋଗୀ ଦଳ ବିରୋଧ କରୁଥିବା ବେଳେ ତିନି ତଲାକ ବିଲ ପାରିତ ପାଇଁ ମୋଦି ସରକାରଙ୍କୁ ସମର୍ଥନ ଜଣାଇଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛି ବିଜେଡ଼ି । ହେଲେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଜଳଜଳ ଦେଖାଯାଉଛି ।

ମୁହଁରେ ଗାଳି ଓ ଭିତରେ କୋଳାକୋଳି । ବିଜେପି-ବିଜେଡ଼ି ନିର୍ବାଚନ ସମୟରେ ଦୁଇ ସଉତୁଣୀ ପରି କଳି କରୁଥିଲେ, ଆଉଏବେ ଉଭୟ ଦଳର ଭିତିରି ସମ୍ପର୍କରୁ ସ୍ପଷ୍ଟ ନବୀନ ବାବୁ ରାଜ୍ୟରେ ଦୋମୁହାଁ ନୀତି ଚଳାଇଛନ୍ତି । ପୂର୍ବରୁ ସଂଖ୍ୟା ଗରିଷ୍ଠତା ଥାଇ ବି ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥର୍ନ ଜଣାଇଥିଲା ବିଜେଡ଼ି । ଆଉ ଏବେ ତିନି ତଲାକ ବିଲକୁ ସମର୍ଥନ କରି ସମ୍ପର୍କକୁ ଆହୁରି ମହଭୁତ କରିଛି ଶାସକ ଦଳ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ବିଜେପି-ବିଜେଡ଼ି ମିଳିତ ଭାବେ ସରକାର ଚଳାଉଛନ୍ତି ବୋଲି ନବୀନ ବାବୁ ଖୋଲାଖୋଲି ସ୍ୱୀକାର କରୁନ୍ତୁ ।

ରାଜ୍ୟ ସ୍ୱାର୍ଥ ପାଇଁ ସମଦୂରତ୍ୱର କଥା କହୁଥିବା ଶାସକ ଦଳ କେଉଁ ପରିସ୍ଥିତିରେ ବିଜୁ ଜନତା ବିଜେପିକୁ ସମର୍ଥନ କରୁଛି । ନବୀନ ବାବୁଙ୍କ ଏପରି ନୀତିରେ ଜନସାଧାରଣ ଆଦୌ ଖୁସି ନୁହଁନ୍ତି । ବର୍ତ୍ତମାନ ମାଇନ୍ସ କାରବାର, ସିବିଆଇ ଭୟ, ଚିଟଫଣ୍ଡ କାରବାର ପାଇଁ ନବୀନ ବାବୁ ଆତଙ୍କିତ ହୋଇପଡ଼ିଛନ୍ତି । ଆଉ ଏଥିରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଡବଲ ଷ୍ଟାଣ୍ଡାର୍ଡ   ଗେମ୍ ଖେଳୁଛନ୍ତି ।

ଅନ୍ୟପଟେ ବିଜେଡ଼ି-ବିଜେପି ଭିତିରି ସମ୍ପର୍କକୁ ଖଣ୍ଡନ କରିଛି ବିଜେଡ଼ି । ଗୃହରେ ଏହାର ଜବାବ ରଖିଛନ୍ତି  ସରକାରୀ ମୁଖ୍ୟ ସଚେତକ । ସେ କହିଛନ୍ତି,  କଂଗ୍ରେସ ନିଜେ ତିନି ତଲାକ ବିଲକୁ ବିରୋଧ କରିନାହିଁ । କେଉଁ ପରିପେକ୍ଷୀରେ କଂଗ୍ରେସ ବିଜେଡ଼ି ଉପରକୁ ଅଙ୍ଗୁଳି ଉଠାଉଛି । ପାଟକୁରାରେ  କଂଗ୍ରେସ ଭୋଟ ବିଜେପିକୁ ଯାଇଛି ।  ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ  ବିଲକୁ ସମର୍ଥନ କରିଛି ବିଜେଡି ।  ଜଣକର ହିତ ପାଇଁ  ସମର୍ଥନ କରିବାରେ କୌଣସି ଆପତି ନାହିଁ । ତିନ ତଲାକ ବିଲକୁ ସମର୍ଥନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣର ଦିଗ  ।