ମଦ ବନ୍ଦ ପାଇଁ ଗୃହରେ ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ : ନିଶା ନିବାରଣ ଦିଗରେ ରାଜ୍ୟ ସରକାର ବିଲ ଆଣନ୍ତୁ ବୋଲି ଦାବି କଲେ ତାରା ପ୍ରସାଦ ବାହିନୀପତି

338

କନକ ବ୍ୟୁରୋ : ରାଜ୍ୟରେ ମଦ କାରବାରକୁ ନେଇ ସରକାରଙ୍କ ଉପରେ ବର୍ଷିରେ କଂଗ୍ରେସ ବିଧାୟକ । ରାଜ୍ୟରେ ବଢ଼ୁଥିବା ମଦ କାରବାରକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ତାରା ପ୍ରସାଦ ବାହିନୀପତି । ରାଜ୍ୟରେ ଦିନକୁ ଦିନ ମଦ କାରବାର ବଢ଼ିଚାଲିଛି । ମଦୁଆଙ୍କ ଉପଦ୍ରବ ବି ବଢ଼ିଛି । ଅକାଳରେ ଝଡିପଡୁଛି ଜୀବନ । ରାଜ୍ୟରେ ବଢୁଛି ଅପରାଧ । ବିଗିଡି ଯାଉଛି ଗରିବଙ୍କ ଆର୍ଥିକ ଅବସ୍ଥା । ସରକାର ଏ ଦିଗରେ କଠୋର ପଦକ୍ଷେପ ନିଅନ୍ତୁ । ମଦ କାରବାରକୁ ରୋକିବା ପାଇଁ ଗୃହରେ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ । ନିଶା ନିବାରଣ ପାଇଁ ରାଜ୍ୟରେ ଏକ ବିଲ ଆଣିବାକୁ ଦାବି କରିଛନ୍ତି ତାରା ପ୍ରସାଦ ବାହିନୀପତି ।

ମଦ କାରବାର ନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକ ମାରିଲେ ତେରଛା ବାଣ । ବିଧାନସଭାରେ ମଦ କାରବାର ପ୍ରସଙ୍ଗ ଉଠାଇବା ଦିନ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାରୁ ନବୀନଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି, ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବିହାରୀ ଭାଟି ଆରମ୍ଭ ହେବା ଠାରୁ ଶହ ଶହ ଲୋକ କିଡ଼ନୀ ରୋଗ ଓ ହୃଦ ରୋଗରେ ମୃତ୍ୟୁ ବରଣ କଲେଣି । ବର୍ତ୍ତମାନ ଅନେକ ଲୋକ ମଦ ପାଇଁ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି । କୋରାପୁଟରେ ମଦ ବିକ୍ରି କରି ବିହାରୀମାନେ କୋଟିପତି ହେଉଥିବା ବେଳେ ମଦୁଆଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ବିଜୁ ସ୍ୱାସ୍ଥ୍ୟ ବୀମାରେ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ହେଲେ ଏଥିରେ ସାଧାରଣ ଜନତା ଲାଭବାନ ହୋଇପାରୁ ନାହାନ୍ତି । ମଦ ବିକ୍ରିରୁ ଯେତିକି ଅର୍ଥ ରାଜସ୍ୱ ଆକାରେ ଆଦାୟ ହେଉଛି, ତା’ଠାରୁ ତିନି ଚତୁର୍ଥାଂଶ ଅଧିକ ଟଙ୍କା ମେଡ଼ିକାଲ ବାବଦକୁ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ନିଶା ନିବାରଣ ପାଇଁ ରାଜ୍ୟ ସରକାର ବିଲ ଆଣିଲେ ହିଁ ଲୋକେ ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀ ଆଉ ୧୦ ଥର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ହେଲେ ରାଜ୍ୟରେ ବିହାରୀ ଭାଟି ବନ୍ଦ କରନ୍ତୁ । ରାଜ୍ୟରେ ମଦ ବନ୍ଦ ହେଲେ, ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି ତାରା ପ୍ରଦାସ ବାହିନୀପତି ।

ତେବେ ଏହି ପ୍ରସଙ୍ଗରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମଦ ରୋକିବା ଦିଗରେ ସରକାର ଚୁପ ବସି ନାହାନ୍ତି । ରାଜ୍ୟରେ ବେଆଇନ୍ ଓ ଚୋରା ମଦ ରୋକିବା ପାଇଁ ସ୍କ୍ୱାର୍ଡ଼ ଗଠନ ହୋଇଛି । ଜିଲ୍ଲା ସ୍ତରରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏସପି, ଅବକାରୀ ଅଧୀକ୍ଷକ, ଡ୍ରଗ୍ସ ଇନିସପେକ୍ଟର ଅଛନ୍ତି । ସେମାନେ ଲଗତାର ଏଦିଗରେ ଚେଷ୍ଟା ଜାରି ରଖିଛନ୍ତି ।