ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ଘଟଣାରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନ ପ୍ରତିକ୍ରିୟା : କହିଲେ, ପ୍ରତିଛବି ସୁଧାରିବାର ସୁଯୋଗ ହାତଛହା ହାତଛଡ଼ା କଲେ ପ୍ରଧାନମନ୍ତ୍ରୀ, ଅନ୍ୟପଟେ ନବୀନଙ୍କୁ କଲେ ସାଲ୍ୟୁଟ

714

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଡକ୍ଟର ଏସ.ୱାଇ କ୍ୟୁରେସି । କ୍ୟୁରେସି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ମାମଲାରେ ଜଣେ ଆଇଏଏସ ଅଧିକାରୀଙ୍କୁ ନିଲମ୍ବନ କରିବା ଦୁଭାର୍ଗ୍ୟଜନକ । ଏହାଦ୍ୱାରା ସାମ୍ବିଧାନିକ ସଂସ୍ଥାର ଛବି ସୁଧାରିବାର ସୁଯୋଗ ହାତଛଡା ହେଲା । କ୍ୟୁରେସି କହିଛନ୍ତି, ଏହି ଘଟଣା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟ ଛବି ସୁଧାରିବାର ସୁଯୋଗ ହାତଛଡା ହୋଇଛି । ଉଭୟ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନ ଏକ ବଡ ସୁଯୋଗ ହାତଛଡା କଲେ ବୋଲି ସେ ଟ୍ୱିଟ କରିଛନ୍ତି ।

ଟ୍ୱିଟରେ କ୍ୟୁରେସି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନ ଭଳି ଅନୁଷ୍ଠାନ ସବୁବେଳେ ଲୋକଙ୍କ ନଜରରେ ରହିଆସିଛି । ପ୍ରଧାନମନ୍ତ୍ରୀ ସବୁବେଳେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛନ୍ତି ଓ ନିର୍ବାଚନ କମିଶନ ବାରମ୍ବାର ଏହାକୁ ଅଣଦେଖା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ଦ୍ୱାରା ସମସ୍ତଙ୍କୁ ସନ୍ଦେଶ ଦେବାର ଥିଲା ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ।

ଉଭୟେ ଭିନ୍ନ ଭିନ୍ନ ଉପାୟ ବାଛିଲେ । ତେବେ ହେଲିକପ୍ଟର ଯାଂଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଲ୍ୟୁଟ କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର । ସେ କହିଛନ୍ତି, ହେଲିକପ୍ଟର ଯାଂଚ ବେଳେ ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ଟିମକୁ ସ୍ୱାଗତ କରିଥିଲେ । ତେଣୁ ସେ ତାଙ୍କୁ ସାଲ୍ୟୁଟ କରିଛନ୍ତି । ସମସ୍ତେ ନେତାଙ୍କଠାରୁ ଏଭଳି ବ୍ୟବହାର ଶିଖିବା ଦରକାର ବୋଲି କହିଛନ୍ତି ଏସ.ଆଇ.କ୍ୟୁରେସି ।