କନକ ବ୍ୟୁରୋ : ପ୍ରଚଣ୍ଡ ବାଗ୍ମୀ, ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସୁଷମା । ଶ୍ରେଷ୍ଠ ବକ୍ତା, ଉତ୍କୃଷ୍ଟ ନେତୃତ୍ୱ ତଥା ମାନବିକତାର ପୂଜାରିଣୀ ସୁଷମା କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ପୂର୍ବତନ ବୈଦେଶିକ ମନ୍ତ୍ରୀଭାବେ ସେ ତାଙ୍କର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିଛନ୍ତି । ପାକିସ୍ତାନ ହେଉ କି ବାଙ୍ଗଲାଦେଶ, ଅନେକ ଲୋକଙ୍କୁ ତଥା ଟ୍ୱିଟରରୁ ଦୁଃଖ ଶୁଣି ସେ ସାହାଯ୍ୟର ହାତ ବଢ଼ାଇଛନ୍ତି । ବିଦେଶରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ସଙ୍କଟ ସମୟରେ ସବୁବେଳେ ସାହାଯ୍ୟ କରିଛନ୍ତି ସୁଷମା ।

Advertisment

ହଠାତ୍ ତାଙ୍କର ନିଧନ ଖବର ପରେ ସମସ୍ତେ ହତବାକ୍ ହୋଇଯାଇଛନ୍ତି । ସୁଷମାଙ୍କ ନିଧନ ଖବର ଆସିବା ପରେ ପରେ ଏମ୍ସରେ ପହଁଚିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ । ସେହିପରି ସୁଷମାଙ୍କ ପାର୍ଥିବ ଶରୀର ଦିଲ୍ଲୀ ଏମ୍ସରୁ ତାଙ୍କର ଦିଲ୍ଲୀ ବାସଭବନକୁ ନିଆଯାଇଛି ଗତକାଲି ରାତିରୁ, ସେହି ସମୟରୁ ସୁଷମାଙ୍କ ବାସଭବନକୁ ଛୁଟୁଛି ଶୁଭେଛୁଙ୍କ ସୁଅ । ଦଳ ମତ ନିର୍ବିଶେଷରେ ସମସ୍ତେ ଛୁଟି ଆସୁଛନ୍ତି ସୁଷମାଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇବାକୁ । ଆଜି ଦିନ ୧୧ ଟା ଯାଏଁ ସୁଷମାଙ୍କ ବାସଭବନରେ ରହିବ ସୁଷମାଙ୍କ ପାର୍ଥିବ ଶରୀର । ଏହାପରେ ଏହାକୁ ନିଆଯିବ ବିଜେପି କାର୍ଯ୍ୟାଳୟ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ଅନ୍ୟ ତୁଙ୍ଗ ନେତା ସୁଷମାଙ୍କ ଶେଷ ଦର୍ଶନ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୩ଟାରେ ଲୋଧି ରୋଡର ଶ୍ମଶାନରେ ହେବ ଅନ୍ତିମ ସଂସ୍କାର ।

୧୯୫୨ ମସିହା ଫେବ୍ରୁଆରି ୧୪ରେ ହରିଆନାର ଅମ୍ବାଲାରେ ଜନ୍ମିତ ସୁଷମା ସ୍ବରାଜଙ୍କ ବାପାଙ୍କ ନାମ ହରଦେବ ଶର୍ମା ଥିବାବେଳେ ମାଆଙ୍କ ନାମ ଲକ୍ଷ୍ମୀଦେବୀ । ସୁପ୍ରିମକୋର୍ଟର ଓକିଲ ଭାବେ ସେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ହେଁ ପରେ ରାଜନୀତିରେ‌ ଯୋଗ ଦେଇ ବିଜେପିର ଜଣେ ଟାଣୁଆ ନେତ୍ରୀ ହୋଇ ପାରିଥିଲେ । ଆକର୍ଷଣୀୟ ବ୍ୟକ୍ତିତ୍ବ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଓଜସ୍ବିନୀ ଭାଷଣ ତାଙ୍କୁ ଜଣେ ଲୋକପ୍ରିୟ ନେତ୍ରୀ ଭାବେ ପ୍ରସିଦ୍ଧି ଆଣି ଦେଇଥିଲା । ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ ସେ ଅମ୍ବାଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁୁ ଜନତା ପାର୍ଟି ଟିକଟରେ ଜିଣି ବିଧାୟିକା ହେବା ସହ ‌ଦଶରର ସର୍ବକନିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ସୁଷମା ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ହିଁ ଭୁବନେଶ୍ବର ସମେତ ଦେଶରେ ୬ଟି ନୂଆ ଏମ୍ସ ଖୋଲିଥିଲା । ୨୦୦୬ରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀଦଳର ଉପନେତା ହୋଇଥିଲେ । ୨୦୦୯‌ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀଦଳର ନେତା ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ ।

୨୦୦୪ରେ ପୁଣିଥରେ ସେ ବିଦିଶା ଆସନରୁ ବିଜୟୀ ହୋଇ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ୨୦୧୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ହେଉଛନ୍ତି ଦ୍ବିତୀୟ ମହିଳା ଯେ କି ବୈଦେଶିକ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ । ଲୋକସଭାକୁ ସେ ୭ ଥର ଏବଂ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ । ଆମେରିକାର ପ୍ରସିଦ୍ଧ ସମ୍ବାଦପତ୍ର ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦ୍ବାରା ସେ ଭାରତର ସବୁଠୁ ପ୍ରିୟ ରାଜନେତାର ଆଖ୍ୟା ପାଇଥିଲେ । ତେବେ ୨୦୧୬ ଡିସେମ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲା। ତେଣୁ ସ୍ବାସ୍ଥଗତ କାରଣରୁ ସେ ୨୦୧୯ ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ।