୫ ବର୍ଷର ସୁଯୋଗ ପାଇଁ କୃତଜ୍ଞତା ଜଣାଇଲେ ସୁଷମା ସ୍ୱରାଜ : ଦ୍ୱିତୀୟ ପାଳିରେ ମୋଦି ମନ୍ତ୍ରିମଣ୍ଡଳରେ ଅନୁପସ୍ଥିତ ରହିବେ ଟାଣୁଆ ନେତ୍ରୀ

484

କନକ ବ୍ୟୁରୋ : ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ନେଇଥିବା ବେଳେ ପ୍ରଥମ ମନ୍ତ୍ରୀମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିବା ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନାହାନ୍ତି । ତେବେ ଏକ ଟ୍ୱିଟ୍ ବାର୍ତାରେ ସେ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ଗତ ୫ବର୍ଷ ତାଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କରି ତାଙ୍କୁ ଦେଶବାସୀ ଓ ପ୍ରବାସୀ ଭାରତୀୟଙ୍କ ସେବା କରିବାର ସୁଯୋଗ ଦେଇଥିଲେ । ଏଥିସହ ବ୍ୟକ୍ତିଗତ ଭାବେ ମୋଦି ମଧ୍ୟ ତାଙ୍କୁ ବହୁତ ସମ୍ମାନ ଦେଇଛନ୍ତି ବୋଲି ଟ୍ୱିଟ୍ରେ ଲେଖିଛନ୍ତି ସୁଷମା । ମୋଦିଙ୍କ ପ୍ରତି ସେ କୃତଜ୍ଞ ବୋଲି ଲେଖିବା ସହ ନୂଆ ସରକାର ଯଶସ୍ୱୀ ହେଉ ବୋଲି ସେ କାମନା କରିଛନ୍ତି ।


ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେଇଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏନଡିଏର ଏହି ମନ୍ତ୍ରମଣ୍ଡଳରେ ୨୦ ଜଣ ନୂଆ ଚେହେରା ସ୍ଥାନ ପାଇଥିବା ବେଳେ ପ୍ରଥମ ଦଫାର ୨୦ଜଣ ବରିଷ୍ଠ ମନ୍ତ୍ରୀ ବାଦ୍ ପଡିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲିଙ୍କୁ ବାଦ୍ ଦିଆଯାଇଥିବା ବେଳେ ସୁଷମା ସ୍ୱରାଜ ଓ ଉମାଭାରତୀ ନିର୍ବାଚନ ଲଢି ନଥିଲେ । ସେପଟେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମଧ୍ୟ ଏହି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳି ନାହିଁ । ଅମିତ ଶାହା କେନ୍ଦ୍ର ମନ୍ତ୍ରୀ ହୋଇଥିବାରୁ ଦଳୀୟ ସଭାପତି ହୋଇ ପାରନ୍ତି ନଡ୍ଡା ବୋଲି ସୂଚନା ମିଳିଛି । ସେମାନଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତା ସୁରେଶ ପ୍ରଭୁ, ମେନକା ଗାନ୍ଧି, ରାଧାମୋହନ ସିଂହ, ମହେଶ ଶର୍ମା, ବିଜୟ ଗୋୟଲ, ରାମ କୃପାଳ ଯାଦବ, ହଂସରାଜ ଗଙ୍ଗାରାମ ଅହିର, ଜୟନ୍ତ ସିହ୍ନା ପ୍ରମୁଖ ନେତା ବାଦେ ପଡିଛନ୍ତି ।