ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଢ଼ିଲା ରିୟାଙ୍କ ସମସ୍ୟା । ୭ ତାରିଖରେ ଇଡିରେ ହାଜର ହେବା ପାଇଁ ନୋଟିସ୍ । ରିୟାଙ୍କ ସହାୟକ ସାମୁଏଲ ମିରାଣ୍ଡାଙ୍କୁ ଜେରା କଲା ପ୍ରବର୍ତନ ନିର୍ଦ୍ଦେଶାଳୟ ।

346

କନକ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଢିଲା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀଙ୍କ ସମସ୍ୟା । ବେଆଇନ ଅର୍ଥକାରବାର ଅଭିଯୋଗରେ ରିୟାଙ୍କୁ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଆଗାମୀ ୭ ତାରିଖରେ ତାଙ୍କୁ ହାଜର ହୋଇ ବୟାନ ରଖିବାକୁ କୁହାଯାଇଛି । ପାଟନା ଥାନାରେ ସୁଶାନ୍ତଙ୍କ ବାପା କରିଥିବା ଏଫଆଇଆରରେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ଟଙ୍କା ବେନାମୀ ଖାତାକୁ ଟ୍ରାଞ୍ଜାକ୍ସନ ହୋଇଥିବା ଦର୍ଶାଇଥିଲେ । ଏହି ଟଙ୍କା ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ଖାତାକୁ ଯାଇଥିବା ସେ ସନ୍ଦେହ ପ୍ରକାଶ କରିବା ପରେ ଛାନଭିନ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ସେପଟେ ରିୟାଙ୍କ ସାହୟାକ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଜେରା କରିଛି ଇଡି । ବଡ କଥା ହେଉଛି ଇଏ ସେହି ସାମୁଏଲ ମିରାଣ୍ଡା, ଯାହାଙ୍କ ନାଁରେ ମଧ୍ୟ ପୂର୍ବରୁ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା । ଗତ ୨୫ ଫେବ୍ରୁଆରୀରେ ବାନ୍ଦ୍ରା ପୋଲିସକୁ ହ୍ୱାଟ୍ସଆପ ମେସେଜ କରି ସାମୁଏଲ ମିରାଣ୍ଡାକୁ ଗିରଫ କରିବା ପାଇଁ ଦାବି କରିଥିଲେ । କାରଣ ପୁଅ ସୁଶାନ୍ତର ଜୀବନ ପ୍ରତି ବିପଦ ଥିବା ସେ ଆଶଙ୍କା କରୁଥିଲେ । ହେଲେ ବାନ୍ଦ୍ରା ପୋଲିସ ଲିଖିତ ଅଭିଯୋଗ କରିବାକୁ କହି କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା । ଆଉ ଜୁନ୍ ୧୪ ତାରିଖରେ ବାନ୍ଦ୍ରା ଫ୍ଲାଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଗାମୀ ଶୁଣାଣି ପରେ ସ୍ପଷ୍ଟ ହେବ , ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର କିଏ କରିବ ତଦନ୍ତ । ସିବିଆଇ , ମୁମ୍ୱାଇ ପୋଲିସ ଏବଂ ବିହାର ପୋଲିସ ମଧ୍ୟରୁ କିଏ ଏହାର ତଦନ୍ତ କରିବ ତାହା ଆଗାମୀ ତାରିଖରେ ଜଣାପଡିବ । ସର୍ବୋଚ୍ଚ ଅଦାଲତରେ ସିଲିସିଟର ଜେନେରାଲ ସ୍ପଷ୍ଟ କରିଛନ୍ତି ବିହାର ସରକାରଙ୍କ ସିବିଆଇ ତଦନ୍ତ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଅନ୍ୟପଟେ କୋର୍ଟରେ ସନ୍ତୋଷ ଜନକ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ରିର୍ପୋଟ ଦେଖିବା ପରେ କୋର୍ଟ ରାୟ ଦେବେ ଏହି ମାମଲାର ଆଗାମୀ ତଦନ୍ତ କିଏ କରିବ ।