ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କଲେ, ପରେ ଆନନ୍ଦବଜାର ବୁଲି ମହାପ୍ରସାଦ ସେବନ କଲେ ଆତ୍ମସମର୍ପଣକାରୀ ନକ୍ସଲ

176

କନକ ବ୍ୟୁରୋ : ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ ଦେଖିଲେ, ଆଉ ଏବେ ଶ୍ରୀମନ୍ଦିର ବୁଲିଲେ ୩୦ ଆତ୍ମସମର୍ପଣକାରୀ ନକ୍ସଲ । ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ସହଯୋଗରେ ଆଜି ଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ଶ୍ରୀମନ୍ଦିର ବୁଲିଛନ୍ତି । କେବଳ ଶ୍ରୀମନ୍ଦରି ନୁହେଁ କୋଣାର୍କ ମନ୍ଦିର ମଧ୍ୟ ବୁଲିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ । ଆତ୍ମସମର୍ପଣ ପରେ ଆସି ସମାଜର ମୁଖ୍ୟସ୍ରୋତରେ ସାମଲି ହେଲେ କିପରି ସୁବିଧା ମିଳୁଛି ସେମାନେ ହୃଦୟଙ୍ଗମ କରିଛନ୍ତି ।

ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍ ହୋଇଥିବା ୩୦ ଜଣ ଆତ୍ମସମର୍ପଣକାରୀ ନକ୍ସଲ ମୁଖ୍ୟମନ୍ତ୍ରୀଙ୍କ ସହ ହକି ଖେଳ ଦେଖିଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତକାଲି ସକାଳେ ସେମାନେ ଏକ ସ୍ବତନ୍ତ୍ର ଗାଡ଼ିରେ ପ୍ରଥମେ କୋଣାର୍କ ସୂର‌୍ୟ୍ୟମନ୍ଦିର ପରିଦର୍ଶନରେ ଯାଇଥିଲେ । ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଅପରାହ୍ନ ପ୍ରାୟ ୨ଟାରେ ପୁରୀ ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ । ସିଂହଦ୍ବାରଠାରୁ ସେମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଶ୍ରୀମନ୍ଦିର ନିଆଯାଇଥିଲା ।

ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ମା’ ବିମଳା, ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରେ ଦୀପଦାନ ବି କରିଥିଲେ। ପରେ ଆନନ୍ଦ ବଜାର ବୁଲି ମହାପ୍ରସାଦ ସେବନ କରିଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ଯେଉଁମାନେ ମାଓ ସଂଗଠନରେ ସାମିଲ୍ ଅଛନ୍ତି, ସେମାନଙ୍କୁ ହିଂସାତ୍ମକ କାର‌୍ୟ୍ୟ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟସ୍ରୋତକୁ ଆସିବା ପରେ ଶ୍ରୀମନ୍ଦିର ଦର୍ଶନର ବ୍ୟବସ୍ଥା କରିଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।