ବଦଳିବ ୭୦ ବର୍ଷର ଇତିହାସ : ସୁପ୍ରିମକୋର୍ଟରେ ହେବ ସ୍ଥାୟୀ ସାମ୍ବିଧାନିକ ଖଣ୍ଡପୀଠ, ବର୍ଷ ତମାମ୍ ଜଟିଳ ମାମଲା ଗୁଡିକର କରିବ ବିଚାର

356

କନକ ବ୍ୟୁରୋ : ବଦଳିବାକୁ ଯାଉଛି ୭୦ ବର୍ଷର ଇତିହାସ । କାରଣ ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ପ୍ରତିଷ୍ଠା ହେବ ସ୍ଥାୟୀ ସାମ୍ବିଧାନିକ ଖଣ୍ଡପୀଠ । ଏଥିପାଇଁ ସଂସଦରେ ଆଇନ ଆଣି ପ୍ରଧାନ ବିଚାରପତିଙ୍କୁ କ୍ଷମତା ଦିଆଯାଇଛି । ଆଗାମୀ ଅକ୍ଟୋବର ୧ ତାରିଖରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ସାମ୍ବିଧାନିକ ଖଣ୍ଡପୀଠ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ପୂର୍ବର କେବଳ କୌଣସି ଜଟିଳ ମାମାଲାର ବିଚାର ପାଇଁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସାମୟିକ ଏଭଳି ୨ କିମ୍ବା ୩ ଓ ଆବଶ୍ୟକ ସ୍ଥଳେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ସ୍ଥାପନା କରିଥାନ୍ତି । ହେଲେ ଏବେ ବର୍ଷତମାମ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସ୍ଥାପନା ହେବାକୁ ଯାଉଛି ।

ଫଳରେ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ବିଚାର ପାଇଁ ଏହି ଖଣ୍ଡପୀଠକୁ ହସ୍ତାନ୍ତର କରିପାରିବେ ପ୍ରଧାନ ବିଚାରପତି । ୧୯୫୦ରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବା ଦିନରୁ ୮ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା ୩୪ରେ ପହଂଚିଛି । ହେଲେ ଅନେକ ମାମଲା ଦୀର୍ଘଦିନ ଧରି ବାଚିର ପାଇଁ ପଡି ରହୁଥିବାରୁ ନିକଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସେହି କ୍ରମରେ ସଂସଦରେ ଆଇନ ଆଣି ଏକ ସ୍ଥାୟୀ ସାମ୍ବିଧାନିକ ବେଂଚ ପ୍ରତିଷ୍ଠା କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ କ୍ଷମତା ଦିଆଯାଇଥିଲା ।