ନିର୍ବାଚନ କମିସନଙ୍କ ପରେ ମାୟାବତୀଙ୍କୁ ‘ସୁପ୍ରିମ୍’ ଝଟକା ! ଜାରି ରହିବ ୪୮ ଘଂଟିଆ ପ୍ରଚାର କଟକଣା

201

କନକ ବ୍ୟୁରୋ : ଲୋକସଭା ନିର୍ବାଚନ-୨୦୧୯ର ପ୍ରଚାର ପାଇଁ ବିଏସପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାୟାବତୀଙ୍କ ପ୍ରଚାରରେ କଟକଣା ଜାରି କରାଯାଇ ୪୮ ଘଣ୍ଟା ପର୍ଯ୍ୟନ୍ତ ସେ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି ନିର୍ବାଚନ କମିସନ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟ ବି ମଙ୍ଗଳବାର ମାୟାବତୀଙ୍କୁ ଝଟକା ଦେଇଛି । ମାୟାବତୀଙ୍କ ଉପରେ ନିର୍ବାଚନ କମିସନ୍‌ କରିଥିବା କଟକଣାକୁ ହଟାଇବାକୁ ସୁପ୍ରିମ କୋର୍ଟରେ ଆବେଦନ କରା ଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ।

ମାୟାବତୀଙ୍କ ଆଇନଜୀବୀଙ୍କ କହିବାନୁସାରେ, ନିର୍ବାଚନ କମିସନ୍‌ ମାୟାବତୀଙ୍କୁ ତାଙ୍କ ପକ୍ଷ ରଖିବାକୁ ଦେଲେ ନାହିଁ । ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୮ ଘଣ୍ଟା ପାଇଁ ତାଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇ ଦେଇଛନ୍ତି । ଏହି ଆଦେଶକୁ ରଦ୍ଦ କରିବା ଦରକାର । ଏଥିଲାଗି ମାୟାବତୀଙ୍କ ପକ୍ଷରୁ ମଙ୍ଗଳବାର ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ଏହାର ଶୁଣାଣି କରାଯାଇଥିଲା । ଆବେଦନକୁ ଖାରଜ କରିବା ସହ ଜଷ୍ଟିସ ଗୋଗୋଇ କହିଥିଲେ, ‘ମନେହେଉଛି ନିର୍ବାଚନ କମିସନ ନିଦରୁ ଉଠିପଡ଼ିଛନ୍ତି । ନିଜ କ୍ଷମତାର ଉପଯୋଗ କରିଛନ୍ତି ।’

ନିର୍ବାଚନ କମିସନ୍‌ଙ୍କ ଏଭଳି ନିଷ୍ପତ୍ତିରେ ମାୟାବତୀ କ୍ଷୋଭ ପ୍ରକାଶ କରିଛନ୍ତି । ମାୟାବତୀ କହିଛନ୍ତି, ନିର୍ବାଚନ କିମସନ୍‌ଙ୍କ ଏହି ନିଷ୍ପତ୍ତି ଏକତରଫା ଅଟେ । ମୋତେ କିଛି କହିବାର ଓ ଅଭିବ୍ୟକ୍ତିର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି । ନିର୍ବାଚନ କମିସନ୍‌ଙ୍କ ଇତିହାସରେ ଏହା ଏକ କଳା ଦିବସ । ନିର୍ବାଚନ ପ୍ରଚାର ବେଳେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମ କୋର୍ଟ କ୍ଷୋଭ ପ୍ରକାଶ କରିବା ପରେ ନିର୍ବାଚନ କମିସନ୍‌ ମୟାବତୀଙ୍କ ନିର୍ବାଚନ ଉପରେ କଟକଣା ଲଗାଇଛନ୍ତି । ୪୮ଘଣ୍ଟା କଟକଣା ମଙ୍ଗଳବାର ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ଅର୍ଥାତ୍‌ ମାୟାବତୀ ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର‌୍ୟ୍ୟାୟ ପାଇଁ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କରି ପାରିବେ ନାହିଁ ।