ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ । ସୁପ୍ରିମକୋର୍ଟ କହିଲେ ବିକଳ୍ପ ମୂଲ୍ୟାୟନରେ ଦିଆଯିବ ମାର୍କ । ବିଚାରକୁ ନିଆଯିବ ୩ଟି ବିଷୟର ସର୍ବାଧିକ ମାର୍କ । ଜୁଲାଇ ୧୫ ସୁଦ୍ଧା ଆସିବ ରେଜଲ୍ଟ

229

କନକ ବ୍ୟୁରୋ : ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବନ୍ଦ । ବିକଳ୍ପ ମୂଲ୍ୟାୟନ ଅନୁସାରେ ପରୀକ୍ଷା ହୋଇନଥିବା ବିଷୟ ଗୁଡିକର ମାର୍କ ଦିଆଯିବ । ଆସନ୍ତା ଜୁଲାଇ ୧୫ ସୁଦ୍ଧା ଉଭୟ ଆସିଏସଇ ଓ ସିବିଏସଇ ପିଲାଙ୍କ ଫଳ ପ୍ରକାଶ ପାଇବ । ଜୁଲାଇ ୧ରୁ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି । ଏହାସହ ମୂଲ୍ୟାୟନ ଆଧାରରେ ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉଭୟ ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ଯୋଜନାରେ ସନ୍ତୋଷ ପ୍ରକାଶ କରିବା ସହ ପରୀକ୍ଷା ରଦ୍ଦ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିବାକୁ ଅନୁମତି ଦେଇଛନ୍ତି ।

ସିବିଏସଇ ପକ୍ଷରୁ କିଭଳି ମୂଲ୍ୟାୟନ କରାଯାଇ ପିଲାଙ୍କୁ ମାର୍କ ଦିଆଯିବ ସେସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ଅନୁସାରେ କମିଟି ପକ୍ଷରୁ ନିଦ୍ଧାରିତ ହୋଇଥିବା ବିକଳ୍ପ ମୂଲ୍ୟାୟନ ହିସାବରେ ଯେଉଁ ବିଷୟ ଗୁଡିକ ପରୀକ୍ଷା ହୋଇନି ସେସବୁର ମାର୍କ ଦିଆଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ପିଲା ସମସ୍ତ ପରୀକ୍ଷା ଦେଇଥିବେ , ତେବେ ସେମାନଙ୍କ ପ୍ରଦର୍ଶନ ହିସାବରେ ମାର୍କ ମିଳିବ । ଯେଉଁ ଛାତ୍ରଛାତ୍ରୀ ତିନିଟି ବିଷୟରୁ ଅଧିକ ପରୀକ୍ଷା ଦେଇଥିବ ଓ କିଛି ବିଷୟ ବାକି ଥିବ ସେହି କ୍ଷେତ୍ରରେ ସର୍ବାଧିକ ମାର୍କ ପାଇଥିବା ତିନିଟି ବିଷୟକୁ ବିଚାରକୁ ନିଆଯିବ । ଯେଉଁ ଛାତ୍ରଛାତ୍ରୀ ମୋଟ ତିନିଟି ବିଷୟ ପରୀକ୍ଷା ଦେଇଥିବେ ସେମାନଙ୍କ ଦୁଇଟି ବିଷୟର ସର୍ବାଧିକ ମାର୍କକୁ ଦୃଷ୍ଟିରେ ରଖି ମାର୍କ ମିଳିବ ।