ପ୍ରଧାନ ବିଚାରପତିଙ୍କୁ ଦୁଇ ବିଚାରପତିଙ୍କ ଚିଠି ! ସୁପ୍ରିମକୋର୍ଟଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଅନୁଷ୍ଠାନର ଭବିଷ୍ୟତ ନେଇ ପୂର୍ଣ୍ଣ ଖଣ୍ଡପୀଠରେ ଆଲୋଚନା ପାଇଁ ଦୀପକ ମିଶ୍ରଙ୍କୁ ପତ୍ର

35

କନକ ବ୍ୟୁରୋ : ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି ଜଷ୍ଟିସ ରଂଜନ ଗୋଗୋଇ ଓ ଜଷ୍ଟିସ ମଦନ ପି. ଲୋକୁର । ପ୍ରଧାନ ବିଚାରପତିଙ୍କ ବିରୋଧରେ ବିରୋଧିଙ୍କ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ଖାରଜ କରିବାର ଦୁଇ ଦିନ ପରେ ଏହି ଦୁଇ ବିଚାରପତି ଚିଠି ଲେଖିଛନ୍ତି । ଏହି ଚିଠିରେ ସେମାନେ ପୂର୍ଣ ବେଂଚରେ ସଂସ୍ଥାଗତ ପ୍ରସଙ୍ଗ ନେଇ ବିତର୍କ ନିମନ୍ତେ ଆହ୍ୱାନ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତର ଭବିଷ୍ୟତ ନେଇ ପୂର୍ଣ ଖଣ୍ଡପୀଠରେ ଆଲୋଚନା ଜରୁରୀ ବୋଲି ଏହି ଦୁଇ ବରିଷ୍ଠ ବିଚାରପତି ଚିଠିରେ ଲେଖିଛନ୍ତି । ବିରୋଧି ଦଳଙ୍କ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଖାରଜ କରିବାକୁ ନେଇ ସ୍ଥିତି ସରଗରମ ରହିଥିବା ବେଳେ ଏବେ ଦୁଇ ବିଚାରପତିଙ୍କ ଚିଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ପତ୍ରରେ ଦୁଇ ବରିଷ୍ଠ ବିଚାରପତି ଉଲ୍ଲେଖ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତର ଭବିଷ୍ୟତ ନେଇ ପୂର୍ଣ୍ଣ ଖଣ୍ଡପୀଠରେ ଆଲୋଚନା ଜରୁରି । ସାମ୍ବିଧାନିକ ଏବଂ ସଂସ୍ଥାଗତ ପ୍ରସଙ୍ଗରେ ଚର୍ଚ୍ଚା କରି ସମାଧାନର ରାସ୍ତା ବାହାର କରିବାକୁ ସେମାନେ ଗୁରୁତ୍ୱାରୋପ କରିଛନ୍ତିି । ନ୍ୟାୟପାଳିକକୁ ନେଇ ଉଠିଥିବା ପ୍ରସଙ୍ଗର ସାର୍ବଜନୀନ ଗୁରୁତ୍ୱ ଦୃଷ୍ଟିରୁ ପୂର୍ଣ୍ଣ ବେଞ୍ଚରେ ଚର୍ଚ୍ଚା ହିଁ ସମସ୍ୟା ସମାଧାନ ଦିଗରେ ବଡ଼ ପଦକ୍ଷେପ ହେବ ବୋଲି ଏହି ପତ୍ରରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଅନ୍ୟ ଦୁଇ ଜଣ ବିଚାରପତିଙ୍କ ସହିତ ଏହି ଦୁଇ ବିଚାରପତି ଗତ ଜାନୁଆରି ୧୨ରେ ଏକ ଅପ୍ରତ୍ୟାଶିତ ସାମ୍ବାଦିକ ସମ୍ମିଳନୀରେ ସର୍ବୋଚ୍ଚ ନ୍ୟାୟାଳରେ ମାମଲା ଆବଣ୍ଟନଜନିତ ପ୍ରସଙ୍ଗ ଉଠାଇଥିଲେ ଏବଂ ପ୍ରଧାନ ବିଚାରପତିଙ୍କ ଅଧିକାରକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମ୍ମିଳନୀରେ ସାମିଲ ଥିବା ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ ଚେଲେମେଶ୍ୱର ଏବଂ କୁରିଏନ୍ ଜୋସେଫ୍ । ମାର୍ଚ୍ଚ ୨୧ ତାରିଖରେ ଜଷ୍ଟିସ ଚେଲେମେଶ୍ୱର ସମସ୍ତ ବିଚାରପତିଙ୍କୁ ପତ୍ର ଲେଖି ବିଚାରପତି ନିଯୁକ୍ତିରେ ସରକାରଙ୍କ ହସ୍ତକ୍ଷେପକୁ ରୋକିବା ପାଇଁ ପୂର୍ଣ୍ଣ କୋର୍ଟରେ ଆଲୋଚନା ନିମନ୍ତେ ଗୁରୁତ୍ୱ ଦେଇଥିଲେ । କର୍ଣ୍ଣାଟକର ଜଣେ ବିଚାରପତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଜଷ୍ଟିସ ଚେଲେମେଶ୍ୱର ଏହି ପତ୍ର ଲେଖିଥିଲେ। ତେବେ ପ୍ରଧାନ ବିଚାରପତି ଏହି ପତ୍ରର କୌଣସି ଜବାବ ଦେଇନଥିଲେ।