କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ! ଆସନ୍ତାକାଲି ସନ୍ଧ୍ୟା ୪ଟାରେ ଶକ୍ତିପରୀକ୍ଷା, ବହୁମତ ହାସଲ ପାଇଁ ୟେଦିୟୁରପ୍ପାଙ୍କ ହାତରେ ମାତ୍ର ୨୮ ଘଂଟା

31

କନକ ବ୍ୟୁରୋ :  କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଆସନ୍ତାକାଲି ସନ୍ଧ୍ୟା ୪ଟାରେ ହେବ ଶକ୍ତିପରୀକ୍ଷା । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ୟେଦିୟୁରପ୍ପା । ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପ୍ରତିବାଦରେ କଂଗ୍ରେସ ଓ ଜେଡିଏସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ପିଟିସନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ତିନି ଜଣିଆ ଖଣ୍ଡପୀଠ । ଏହା ସହିତ ବହୁମତ ପରୀକ୍ଷା ହେବା ସମୟର ଫ୍ଲୋର ଟେଷ୍ଟର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦୃଢ଼ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ୩ଜଣିଆ ଖଣ୍ଡପୀଠ । କେଉଁ ଆଧାରରେ ସରକାର ଗଠନ ଲାଗି ରାଜ୍ୟପାଳ ବିଜେପିକୁ ଆମନ୍ତ୍ରଣ କଲେ, ଶୁଣାଣି ସମୟରେ ସେନେଇ ପ୍ରଶ୍ନ ଉଠାଇଥିଲେ ଖଣ୍ଡପୀଠ । ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ବିଜେପି ପକ୍ଷରୁ ଲଢ଼ୁଥିବା ଆଇନଜୀବି ମୁକୁଲ ରୋହତଗୀ କହିଥିଲେ ବିବେକ ଆଧାରରେ ରାଜ୍ୟପାଳ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହା ସହିତ ରାଜ୍ୟରେ ସ୍ଥିର ସରକାର ଦେବା ପାଇଁ ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।

supreme-court-website-hacked

ଏପଟେ ବହୁମତ ଦେଖାଇବାକୁ ବିଜେପି ଓ କଂଗ୍ରେସ-ଜେଡିଏସ ଶିବିର ଉଦ୍ୟମ ଜାରି ରଖିଛନ୍ତି । ଗତକାଲି ରାତିରେ ପୁଣି ବେଙ୍ଗାଲୁରୁରୁ ବାହାରିଥିବା କଂଗ୍ରେସ ବିଧାୟକମାନେ ଆଜି ହାଇଦ୍ରାବାଦରେ ପହଁଚିଛନ୍ତି । ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ବିଧାୟକମାନେ ପହଁଚିଛନ୍ତି । ତେବେ ଦୁଇଜଣ ବିଧାୟକ ରାଜଶେଖର ପାଟିଲ ଓ ପ୍ରତାପ ଗୌଡ ପାଟିଲ ଏବେ ବି କଂଗ୍ରେସ ସହ ସମ୍ପର୍କରେ ନାହାନ୍ତି । କଂଗ୍ରେସ ଦାବି କରିଛି , ବିଜେପିର କିଛି ବିଧାୟକ ସେମାନଙ୍କ ସମ୍ପର୍କରେ ଅଛନ୍ତି । ସେହିଭଳି ଜେଡିଏସର ବିଧାୟକ ବି ଗତକାଲି ବେଙ୍ଗାଲୁରୁର ହୋଟେଲ ଛାଡିଛନ୍ତି । କିଛି ବିଧାୟକ କେରଳର କୋଚି ଓ ଆଉ କିଛି ବିଧାୟକ ହାଇଦ୍ରବାଦ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ଖବର ଅନୁସାରେ, ନବନିର୍ବାଚିତ ବିଧାୟକ ଆନନ୍ଦ ସିଂ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ଏ ନେଇ ସେ ଦଳ ହାଇକମାଣ୍ଡଙ୍କୁ ଜଣାଇଦେଇଛନ୍ତି । ସେ ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏଭଳି ହେଲେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟାରେ କିଛି ପରିବର୍ତନ ହୋଇପାରେ ।

ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପ୍ରତିବାଦରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି କଂଗ୍ରେସ । ଏଥିପାଇଁ ଦଳର କର୍ମୀମାନେ ବେଙ୍ଗାଲୁରୁର କଂଗ୍ରେସ ଭବନରୁ ରାଜ୍ୟପାଳଭବନ ଯାଏ ଏକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ବିଭିନ୍ନ ଜିଲ୍ଲା ଓ ରାଜ୍ୟର ମୁଖ୍ୟାଳୟଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।