ସୁନ୍ଦରଗଡରେ ଚିନ୍ତା ବଢାଉଛି ରାଉରକେଲାର ସୁପର ସ୍ପ୍ରେଡର । ୧୦୬ ଜଣଙ୍କୁ ଆକ୍ରାନ୍ତ କରିଛନ୍ତି ଜଣେ ବ୍ୟକ୍ତି । ଆଜି ଚିହ୍ନଟ ହୋଇଥିବା ୮୩ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କ ସୁପର ସ୍ପ୍ରେଡର ଲିଙ୍କ

682

କନକ ବ୍ୟୁରୋ : ସୁନ୍ଦରଗଡର ଚିନ୍ତା ବଢାଉଛି ରାଉରକେଲାର ସୁପର ସ୍ପ୍ରେଡର । ଜଣେ ବ୍ୟକ୍ତି ପ୍ରାୟ ୧୦୬ଜଣଙ୍କୁ ସଂକ୍ରମିତ କରିଥିବା ସୂଚନା ମିଳିଛି । ଆଜି ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୮୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରାଉରକେଲାର ୧୬ଜଣଙ୍କର ସୁପର ସ୍ପ୍ରେଡର ଲିଙ୍କ ଥିବା ଜଣାପଡିଛି । ଏହାପୂର୍ବରୁ ରାଉରକେଲା ସେକ୍ଟର ୧୬ର ସୁପର ସ୍ପ୍ରେଡର କୁହାଯାଉଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରାୟ ୯୦ଜଣ ଆକ୍ରାନ୍ତ ହୋଇଥିଲେ । ଆଜି ପୁଣି ତାଙ୍କ ଲିଙ୍କରେ ୧୬ଜଣ ଚିହ୍ନଟ ହେବା ପରେ ସୁପର ସ୍ପ୍ରେଡର ଲିଙ୍କରେ ଏପର୍ଯ୍ୟନ୍ତ ୧୦୬ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

ରାଉରକେଲାର ୧୬ ନମ୍ବର ସେକ୍ଟରର ଜଣେ ଅଟୋ ଚାଳକ ଝାଡଖଣ୍ଡରୁ ଫେରିବାର କିଛି ଦିନ ପରେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ଇଏସଆଇ ହସ୍ପିଟାଲ ଓ ପରେ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଗଲା । ସ୍ୱାବ୍ ବି ପଠାଗଲା, ଆଉ ପଜିଟିଭ୍ ଚିହ୍ନଟ ହେଲେ ଅଟୋ ଡ୍ରାଇଭର ଜଣଙ୍କ । କିନ୍ତୁ ଉଚ୍ଚ ଡାଇବେଟିସ୍ ରୋଗରେ ପୀଡିତ ଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା । ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଏପର୍ଯ୍ୟନ୍ତ ୧୦୬ଜଣ ଆକ୍ରାନ୍ତ ହୋଇସାରିଥିବା ସୂଚନା ମିଳିଛି । ସେହି ଅଂଚଳରେ କଂଟେନମେଂଟ ଜୋନ ବଳବତର ରହିଛି ।