ସରକାରଙ୍କ ଫୋକସରେ ଜିରୋ କାଜୁଆଲଟି । ବାତ୍ୟା ଆସିବା ଆଗରୁ ଖାଲି ହେଉଛି ଉତ୍ତର ଓଡିଶା ଉପକୂଳ । ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲକ୍ଷ୍ୟ

221

କନକ ବ୍ୟୁରୋ : ଅମ୍ପାନର ବେଗ ବଢୁଛି, ଏପଟେ ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା । ବିଶେଷ କରି ଆଜିଠାରୁ ବର୍ଷା, ପବନ ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଇଥିବାରୁ ଭିଡିଓ କନଫରେନସିଂରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ସତର୍କ କରାଯାଇଛି । ବାଲେଶ୍ୱର ଜିଲ୍ଲାର ୫ଟି ବ୍ଲକରେ ୧୩୬ଟି ପଂଚାୟତରୁ ପାଖାପାଖି ୩ ଲକ୍ଷ ଲୋକଙ୍କୁ ସୁର କ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଉପକୂଳ ଅଂଚଳର ୩ କଲୋମିଟର ବ୍ୟାସାର୍ଦ୍ଧରେ ଥିବା ଅସୁରକ୍ଷିତ ଅଂଚଳର ଲୋକଙ୍କୁ ଆଜି ଅପରାହ୍ନ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିିଜି ଅଭୟ ବାଲେଶ୍ୱରରେ ବାତ୍ୟା ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଘଟଣା ସ୍ଥଳରେ ଓଡ୍ରାଫ, ଏନଡ଼ିଆରଏଫ ଟିମ୍ ପହଂଚି ସାରିଛନ୍ତି । ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି ।  ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତୀ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରେ ଅଧିକରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ଖୋଲିବାକୁ ନିର୍ଦ୍ଦେଶ ରହିଛି । ୭୨ଟି ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀ ସହିତ ୩୬୩ଟି ସ୍କୁଲର ବ୍ୟବସ୍ଥା କରାଯାଇଛି । ସମୁଦ୍ର ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ଗାଁ ଗୁଡିକ ଉପରେ ନଜର ରଖିଛି ପ୍ରଶାସନ । ଜିଲ୍ଲାରେ ୫୫୮ଟି ସ୍କୁଲ ଗୃହକୁ ପ୍ରସ୍ତୁତ ରଖାଯାଇଛି । ଧାମରାକୁ ଓଡ୍ରାଫ ଟିମ ପଠାଯାଇଛି ।

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକଙ୍କୁ ବାତ୍ୟା ନେଇ ଅଧିକ ସତର୍କ କରାଯାଉଛି । ବିଶେଷକରି ଲୋକମାନଙ୍କୁ କିପରି ସ୍ଥାନାନ୍ତର କରାଯିବ ସେନେଇ ସଜାଗ ରହିଛି ପ୍ରଶାସନ । ପାରାଦୀପରେ ମାଇକ ଯୋଗେ ବସ୍ତି ଓ ତଳିଆ ଅଂଚଳର ଲୋକମାନଙ୍କୁ ସଚେତନ କରାଯାଉଛି । ଷଣ୍ଢକୁଦ ବସ୍ତି, ନେହରୁ ବଙ୍ଗଳା ନିକଟରେ ଥିବା ବସ୍ତି ବାସିନ୍ଦାଙ୍କୁ ସଚେତନ କରାଉଛନ୍ତି ଏନଡିଆରଏଫ । ପାରାଦୀପର ୧୯ଟି ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ୧୪ ହଜାର ଲୋକଙ୍କୁ ରଖିବା ପାଇଁ ପ୍ରସ୍ତୁତ ରଖାଯାଇଛି । ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଗାଡି ରହିଛି । ଶୁଖିଲା ଖାଦ୍ୟ ଓ ପାଣି ମହଜୁଦ ରହିଛି ।

ଅମ୍ଫାନର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ମହାକାଳପଡାରେ ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି । ତଳିଆ ଅଂଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜନଗର ତଳିଆ ଅଂଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସାତଭାୟା ଓ ଏହାର ନିକଟବର୍ତି ୭ଟି ପଂଚାୟତର ୬ଶହରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିବା ସୂଚନା ମିଳିଛି । ଓଡରାଫ ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛି । ମହାକାଳପଡା ବ୍ଲକର ଉପକୂଳବର୍ତି ଅଂଚଳର ପ୍ରାୟ ୧୧ଟି ପଂଚାୟତରେ ୧୭ହଜାରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ବ୍ଲକର ବତୀଘର, ଜମ୍ବୁ, ଲାଂଜୁଡା, ରାମନଗର ଏବଂ ଖରନାସି ପଂଚାୟତର ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଏବଂ ସ୍କୁଲ ଘରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅମ୍ଫାନ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି । ତେଣୁ ଏହି ୪ ଜିଲ୍ଲାରେ ବାତ୍ୟା ମୁକାବିଲା ତଦାରଖ ଲାଗି ରାଜ୍ୟ ସରକାର ୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ ବାଲେଶ୍ୱର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଏବଂ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅଧିକାରୀମାନେ ଅମ୍ଫାନର ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହ ଯୋଗ କରିବେ ଓ ଆବଶ୍ୟକ ପରାମର୍ଶ ଯୋଗାଇଦେବେ ।

ସେହିପରି ପୋଲିସ ଡିଜିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୪ ବରିଷ୍ଠ ଆଇପିଏସଙ୍କୁ ମଧ୍ୟ ଏହି ୪ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ପୂର୍ବାଂଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ୱର ଜାଲ୍ଲାର ଦାୟିତ୍ୱ ଦିଆଯାଇଛି । ଅର୍ଥନୀତି ଅପରାଧ ଶାଖାର ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଭଦ୍ରକ, କେନ୍ଦ୍ରାଂଚଳ ଡିଆଇଜି ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାପଡା ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସ ଡିଆଇଜି ଜୟ ନାରାୟଣ ପଙ୍କଜଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।