ଓଡିଶାରେ ସୁପର ଆନାକୋଣ୍ଡା । ରାଜ୍ୟରେ ପ୍ରଥମ ଥର ଲାଗି ଗଡିଲା ଦେଶର ସବୁଠାରୁ ଲମ୍ବା ମାଲଗାଡି । ଦୌର୍ଘ୍ୟ ୨ କିଲୋମିଟର ଥିବାବେଳେ ବଗିି ସଂଖ୍ୟା ୧୭୭

500

କନକ ବ୍ୟୁରୋ : ଭାରତୀୟ ରେଳବାଇରେ ପ୍ରଥମ ଘଟଣା । ଓଡିଶାରେ ଗଡିଲା ସୁପର ଆନାକୋଣ୍ଡା ଟ୍ରେନ୍ । ଏହି ନାଁ ଆପଣଙ୍କୁ ଚକିତ କରୁଥିବ । ଟ୍ରେନକୁ ଦେଖିଲେ ଆପଣ ବି ସେହିପରି ଚିନ୍ତା କରିବେ । ଏହି ଟ୍ରେନ୍ ସାଧାରଣ ଟ୍ରେନ୍ ପରି ହୋଇଥିଲେ ବି ଏହାର ଲଂବ କିନ୍ତୁ ସବୁଠାରୁ ଅଧିକ । ଏହାର ଲଂବ ପ୍ରାୟ ୨ କିଲୋମିଟର । ତିନୋଟି ମାଲବାହୀ ଟ୍ରେନକୁ ମିଶାଇ ଗୋଟିଏ ଟ୍ରେନରେ ପରିବର୍ତନ କରି ତିଆରି ହୋଇଛି ସୁପର ଆନାକୋଣ୍ଡା ଟ୍ରେନ୍ । ଏହି ଟ୍ରେନରେ ରହିଛି ୧୭୭ ବଗି । ଏହି ଲଂବା ଟ୍ରେନର ଚଳାଚଳ କରିବାରେ ସକ୍ଷମ ହୋଇଛି ଭାରତୀୟ ରେଳବାଇ ।

ମଙ୍ଗଳବାର ଏମସିଏଲ ଲଜକୁରା ଖଣିରୁ ଏହି ଟ୍ରେନଟି ଗଡିବା ସହ ପ୍ରାୟ ଏକ କୋଟି ଟଙ୍କାର କାର୍ଗୋ ମୂଲ୍ୟର ପନ୍ଦର ହଜାର ଟନ କୋଇଲା ପରିବହନ ହୋଇଥିଲା । ଘଂଟା ପ୍ରତି ୬୦ କିଲୋମିଟର ବେଗରେ ଯାତ୍ରା କରି ଟ୍ରେନଟି ଏମସିଏଲ ଲାଜକୁରା ଖଣିରୁ ମାତ୍ର ୨ ଘଂଟା ୧୫ ମିନିଟ୍ ସମୟରେ ପହଁଚିଥିଲା ରାଉରକେଲା । ରେଳ ବିଭାଗର ଏପରି ସଫଳତା ସଂପର୍କରେ ନିଜେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ୍ କରି ସୂଚନା ଦେଇଛନ୍ତି । ଓଡିଶାର ବ୍ରଜରାଜନଗର ନିକଟ ଲାଜକୁରା ଖଣିରୁ ରାଉରକେଲା ଷ୍ଟେସନ ମଧ୍ୟରେ ୧୭୭ ବଗି ବିଶିଷ୍ଟ ଟ୍ରେନକୁ ଚଳାଚଳ କରାଇ ଭାରତୀୟ ରେଳବାଇ ନୂଆ ରେକର୍ଡ କରିଛି ।

Comments are closed.