ସୁନ୍ଦରଗଡ଼ ଲୋକସଭା ଆସନ : ବିଜେପି ପାଇଁ ସମ୍ମାନର ପ୍ରଶ୍ନ, ଜୁଏଲଙ୍କୁ କଡ଼ା ଟକ୍କର ଦେବେ ଆଦିବାସୀ ନେତା ଜର୍ଜ ତିର୍କୀ ଓ ସୁନୀତା ବିଶ୍ୱାଳ

449

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନିର୍ବାଚନ । ୨୦୧୯ ପାଇଁ ବ୍ୟାଟେଲ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨୦୧୯ରେ ବିଜୟ ବାନା ଉଡ଼ାଇବା ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରାଜନୀତି ଯୁଦ୍ଧରେ ମୁହାଁମୁହିଁ ହେବା ପାଇଁ ସମସ୍ତେ ପ୍ରସ୍ତୁତ । ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ଅପ୍ରେଲ ୧୮ ତାରିଖରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ସୁନ୍ଦରଗଡ଼ ଲୋକସଭା ଆସନରୁ ଏଥର କିଏ ଜିତିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୧୪ରେ ରାଜ୍ୟ ଏକମାତ୍ର ସାସଂଦ ଭାବେ ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ଜୁଏଲ ଓରାମ୍ । ଗତକାଲି ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଚିତ୍ର ସ୍ପଷ୍ଟ ହୋଇଯାଇଛି । ପୂର୍ବରୁ ବିଜେଡ଼ି ଓ କଂଗ୍ରେସ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ଓ ବିଜେଡି ପାଇଁ ଆହ୍ବାନ ସୃ୍ଷ୍ଟି କରିଛି ।

ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ଆରମ୍ଭରୁ କଂଗ୍ରେସ ନିଜର ପତିଆରା ଜାହିର କରି ଆସିଥିଲା । ୧୯୫୨ ମସିହାରୁ ଏବେ ମଧ୍ୟରେ ସାତ ଥର ଏହି ଆସନକୁ କଂଗ୍ରେସ ଦଖଲ କରିଛି । ୪ ଥର ବିଜେପି ଜିତିଥିବା ବେଳେ ବିଜେଡି ଆଦୌ ସଫଳ ହୋଇନାହିଁ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହକି ତାରକା ଦିଲୀପ ତିର୍କୀ ପାଖାପାଖି ୨୦ ହଜାର ଭୋଟ ବ୍ୟବଧାନରେ ଜୁଏଲ ଓରାମଙ୍କ ଠାରୁ ପରାଜିତ ହୋଇଥିଲେ । ଜୁଏଲ ଓରାମ ୩ ଲକ୍ଷ ୪୦ ହଜାର ୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୁ ଜନତା ଦଳ ୩ ଲକ୍ଷ ୨୧ ହଜାର ୬୭୯ ଖଣ୍ଡ ଭୋଟ ପାଇଥିଲା । କଂଗ୍ରେସ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ୨ ଲକ୍ଷ ୬୯ ହଜାର ୩୩୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୪ରେ ପୁଣି ଥରେ ସୁନ୍ଦରଗଡ଼ ଲୋକସଭା ଆସନରେ ଫୁଟିବକି ପଦ୍ମ ? ନା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ତଥା ବର୍ତ୍ତମାନର ବିଜେଡ଼ି ପ୍ରାର୍ଥୀ ସୁନୀତା ବିଶ୍ୱାଳ ବଦଳାଇଦେବେ ସୁନ୍ଦରଗଡ଼ ସମୀକରଣ । ଅନ୍ୟପଟେ ବୀରମିତ୍ରପୁର ବିଧାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀ ମଧ୍ୟ ଏଥର କାେଂଟ କି ଟକ୍କର ଦେବେ ।

୨୦୧୪ରେ ପୁଣି ଜୁଏଲ ଓରାମଙ୍କୁ ବାଛିବେ କି ଭୋଟର ? ତେବେ ଚଳିତ ଥର ସୁନ୍ଦରଗଡ଼ ଲୋକସଭା ଆସନ ଅକ୍ତିଆର କରିବା ଜୁଏଲଙ୍କ ପାଇଁ ସେତେଟା ସହଜ ନୁହେଁ । କାରଣ ଟାଣୁଆ ନେତା ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହିସାବରେ ଦିଲୀପ ରାୟ ତଥା ତାଙ୍କ ସମର୍ଥନରୁ ରାଉରକେଲାର ବୃହତ୍ତର ଦିଲୀପ ଭୋଟ୍ ବ୍ୟାଙ୍କକୁ ହାସଲ କରି ଅକ୍ଲେଶରେ ବିଜୟୀ ହୋଇଥିଲେ ଜୁଏଲ । ହେଲେ ଚଳିତ ନିର୍ବାଚନରେ ଚିତ୍ର ପୁରା ଭିନ୍ନ । ଆଉ ଏକ ମୁଖ୍ୟ କାରଣ ହେଲା ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏବେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଚର୍ଚ୍ଚା ଅନୁସାରେ ସୁନ୍ଦରଗଡ଼ ଭୋଟର ଜୁଏଲଙ୍କ ଉପରେ ଖପ୍ପା ଅଛନ୍ତି । ବ୍ରାହ୍ମଣୀ ଦ୍ବିତୀୟ ସେତୁ, ୧୪୩ ନମ୍ବର ଜାତୀୟ ବୀରମିତ୍ରପୁର-ରାଜାମୁଣ୍ଡା ୧୪୩ ନମ୍ବର ଜାତୀୟ ରାଜପଥ, ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ନହେବା ଯୋଗୁଁ ଜନତା ଭୀଷଣ ଅସନ୍ତୁଷ୍ଟ। କାରଣ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଥାଇ ବି ଜୁଏଲ ଓରାମ ଏଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି।

ସେପଟେ ଆଦିବାସୀଙ୍କ ମନ ଜିଣିଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ କଂଗ୍ରେସ ହାଇକମାଣ୍ଡ ଦେଇଛନ୍ତି ଟିକେଟ୍ । ଆଦିବାସୀଙ୍କ ମନ ଜିଣିଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ କଂଗ୍ରେସ ହାଇକମାଣ୍ଡ ଦେଇଛନ୍ତି ଟିକେଟ୍ । ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ଅଧିକାର ଏବଂ ଜିଲ୍ଲାରେ ‘ପେସା’ ଆଇନ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ଆନ୍ଦୋଳନ କରି ଆଦିବାସୀଙ୍କ ମନ ଜିଣିଥିବା ଜର୍ଜ ତିର୍କୀ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି । ସୁନ୍ଦରଗଡ଼ ଏକ ଆଦିବାସୀ ବହୁତ ଅଂଚଳ । ସଂପ୍ରତି କଂଗ୍ରେସର ଭୋଟ୍ ବ୍ୟାଙ୍କ୍ ହାସଲ କରିବା ସହ ଆଦିବାସୀ ଭୋଟ ତାଙ୍କ ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଛି ।

ଚଳିତ ଥର ସୁନ୍ଦରଗଡ଼ ଆସନ ପାଇଁ ମହିଳା କାର୍ଡ଼ ଖେଳିଛି ବିଜେଡ଼ି । ସୁନୀତାଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଗଣିତରେ ଓଲଟପାଲଟ କରିଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ସୁନୀତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡ଼ି ମହିଳା,ଭୂୟାଁ କାର୍ଡ ଖେଳିବା ସହିତ ହେମାନନ୍ଦଙ୍କ ଭୋଟ୍ ବ୍ୟାଙ୍କକୁ ସାଉଁଟିବାକୁ ଉଦ୍ୟମ କରୁଛି । ସୁନୀତା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସୁନ୍ଦରଗଡ଼ ଲୋକସଭା ସଦସ୍ୟ ହେମାନନ୍ଦ ବିଶ୍ୱାଳଙ୍କ ଝିଅ । ଏହାସହ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅଂଚଳର ବୋହୂ। ସୁନ୍ଦରଗଡ଼ ଭୋଟରଙ୍କ ପାଇଁ ସଂପୂର୍ଣ୍ଣ ନୂଆଁ ତଥା ଅଜଣା ମୁହଁ ନୁହଁନ୍ତି ସୁନୀତା । ତେଣୁ ସୁନ୍ଦରଗଡ଼ବାସୀଙ୍କ ମନ ଜିଣିବା ବିଜେଡ଼ି କଷ୍ଟକର ହେବ ନାହିଁ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି ।