ସୁନ୍ଦରଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ୨ ଭାଇଙ୍କୁ ଆକ୍ରମଣ : ଆହତଙ୍କୁ ସର୍ଗିପାଲି ଡାକ୍ତରଖାନାରେ ଭର୍ତ୍ତି

298

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସର୍ଗିପାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନିର୍ବାଚନୀ ହିଂସା । ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ସଂରକ୍ଷିତ ଆସନର ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ୨ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି । ରାତି ପ୍ରାୟ ୧ଟା ୪୫ ମିନିଟରେ ସର୍ଗିପାଲିର ଏକ ପଡ଼ାକୁ ଯାଇଥିବା ସମୟରେ ହିଂସାର ଶିକାର ହୋଇଥିଲେ ଯୋଗେଶଙ୍କ ଦୁଇ ଭାଇ । ହଠାତ ୬/୭ ଜଣ ଲୋକ ସେଠାରେ ପହଞ୍ଚି ଲୋକଙ୍କୁ ବିଜେଡି ଲାଗି ପଇସା ବାଣ୍ଟୁଛ ବୋଲି କହି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ଯୋଗେଶ ସିଂହଙ୍କ ୨ ଭାଇ ନରେଶ ପ୍ରତାପ ସିଂହ , ରିତେଶ ସିଂହ ଏବଂ ତାଙ୍କ ସହଯୋଗୀ ସୁମନ୍ତ ପଟେଲଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ।

ଆହତମାନଙ୍କୁ ଲହୁଲୁହାଣ ଅବସ୍ଥାରେ ନିକଟସ୍ଥ ସର୍ଗିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣା ତଦନ୍ତ ଚଳାଇଛି । ତେବେ ଏ ଘଟଣା ପଛରେ ବିଜେପି ପ୍ରାର୍ଥୀଙ୍କ ହାତ ରହିଛି ବୋଲି ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏବଂ ତାଙ୍କ ପତି ଅଜୟ ପଟେଲଙ୍କର ଏଥିରେ ହାତ ରହିଛି । ଅପର ପକ୍ଷରେ ବିଜେପିର ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏହାକୁ ଖଣ୍ଡନ କରିଥିବା ଜଣାଯାଇଛି ।