ପୁଣି ସୁନ୍ଦରୀ ଆତଙ୍କ : ଆଠମଲିକ ରେଞ୍ଜ ଲେହେଡି ଗାଁରେ ଗାଈ ଶିକାର କଲା ବାଘୁଣୀ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

36

କନକ ବ୍ୟୁରୋ : ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ । ସାତକୋଶିଆରେ ଆତଙ୍କ ଖେଳାଉଛି ବାଘୁଣୀ । ଗାଈ ଶିକାର କଲା ବାଘୁଣୀ । ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ମଣିଷ ଶିକାର କରି ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ପୁଣି ଜନବସତି ଅଂଚଳ ଆଡକୁ ମୁହାଁଇବା ଜାରି ରଖିଛି । ପୁଣି ଏକ ଗାଈକୁ ମାରିଛି ସୁନ୍ଦରୀ । ଆଠମଲିକ ରେଞ୍ଜ ଲେହେଡି ଗାଁରେ ଗାଈ ଶିକାର କରିଛି ବାଘୁଣୀ । ଫଳରେ ସୁନ୍ଦରୀକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ବାଘୁଣୀ ପାଇଁ ପିଲାମାନେ ଭୟରେ ପାଠ ପଢ଼ିବା ପାଇଁ ମଧ୍ୟ ଯାଇପାରୁ ନାହାନ୍ତି । ଆଉ ସ୍କୁଲ ଗଲେ ମଧ୍ୟ ଶିକ୍ଷକମାନେ ଭୟରେ ସ୍କୁଲ ଆସୁନାହାନ୍ତି । ଅନ୍ୟପଟେ ସ୍ଥାନୀୟ ଅଂଚଳରେ ସୁନ୍ଦରୀ ପାଇଁ ଭୟର ବାତାବରଣ ସୃଷ୍ଟି ହେଉଛି ।

ସୂଚନାଯୋଗ୍ୟ ବାଘୁଣୀ ସୁନ୍ଧରୀ ପୂର୍ବରୁ ଆଉ ଏକ ଗାଈକୁ ଆକ୍ରମଣ କରିବା ସହ ଜଣେ ମହିଳାଙ୍କୁ ମାରିଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ତେବେ ମହିଳା ଜଣଙ୍କୁ ସୁନ୍ଦରୀ ମାରିନି ବୋଲି ବନବିଭାଗ କହିଥିଲେ । ଗତକାଲି ଅନୁଗୁଳ ଜିଲ୍ଲା ହାତୀବାରିରେ ଗତ ୧୩ ତାରିଖରେ ମୃତ ମହିଳା କୈଳାସ ସାଏଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି- ତଂଟିକୁ ଖୁବ ଜୋରରେ ଚାପି ଧରିବା ଫଳରେ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ମୃତ୍ୟୁ ହୋଇଛି ।

ମହିଳାଙ୍କ ଦେହରେ ୮ଟି କ୍ଷତଚିହ୍ନ ଅଛି । ପ୍ରଥମ କ୍ଷତଟି କାର୍ଣ୍ଣିଭୋରସ ଆନିମଲ ବା ମାଂସାଶୀ ବନ୍ୟପ୍ରାଣୀ ଆକ୍ରମଣ ଫଳରେ ହୋଇଛି । ସେହିପରି ୨ରୁ ୭ ନମ୍ବର ପର‌୍ୟ୍ୟନ୍ତ କ୍ଷତ କୌଣସି ଶକ୍ତ ମୁନିଆ ଜିନିଷରେ ଆକ୍ରମଣ ଫଳରେ ହୋଇଛି । ସେହିପରି ୮ ନମ୍ବର କ୍ଷତଟି ମଧ୍ୟ ଏକାଧିକ ଶକ୍ତ ଦନ୍ଥରା ଜିନିଷରେ ଆକ୍ରମଣ ଯୋଗୁଁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ସିଧାସିଧା ଇସାରା କରୁଛି ମହିଳାଙ୍କ ବେକକୁ ମୁନିଆ ଦାନ୍ତରେ ଜାବୁଡି ଧରିଥିଲା ବାଘୁଣୀ ସୁନ୍ଦରୀ ଏବଂ ଶରୀରରେ ତାର ମୁନିଆ ନଖରେ ଏକାଧିକ କ୍ଷତ କରିଥିଲା । ୨୪ରୁ ୩୬ ଘଂଟା ମଧ୍ୟରେ ହାତୀବାରି ଗାଁର ମହିଳା କୈଳାସ ସାଏଙ୍କ ମୃତ୍ୟୁ ହୋଇଥିଲା ।