କନକ ବ୍ୟୁରୋ : ମହାପ୍ରଭୁଙ୍କ ସୁନାବେଶ ନୀତି ଆରମ୍ଭ ହୋଇଛି । ରଥାରୁଢ଼ ଶ୍ରୀଜିଉଙ୍କଠାରେ ସୁନାଅଳଙ୍କାର ଲାଗି କରାଯାଇଛି । ସୁନାର କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି ହେଉଛି । ସଂଧ୍ୟା ୫ଟା ସୁଦ୍ଧା ତିନି ଠାକୁରଙ୍କ ସୁନାବେଶ ହେବା ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଯାଇଛି । ଅାଜି ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୧ଟାରେ ସୁନାବେଶ ଓଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋମବାର ହରିଶୟନ ଏକାଦଶୀରେ ସୁନାବେଶ (ବଡ଼ ଚଢ଼ାଉ ବେଶ)ରେ ଦର୍ଶନ ଦେବାକୁ ଯାଉଛନ୍ତି ମହାପ୍ରଭୁ । ସର୍ବଦା ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ଆଜି ରତ୍ନଖଚିତ ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୁପା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ । ଏହି ବିରଳ ମୁହୂର୍ତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ତେବେ ଭକ୍ତ ସମାଗମ ଦେଖି ଦର୍ଶନ ସମୟ ବି ବୃଦ୍ଧି କରାଯାଇପାରେ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି ।