କନକ ବ୍ୟୁରୋ : ବଢିଲା କୋଣାର୍କ ସୁରକ୍ଷା ଚିନ୍ତା । ଏଏସଆଇ ପକ୍ଷରୁ କୋଣାର୍କ ମନ୍ଦିରର ସ୍ଥିତାବସ୍ଥା ଯାଂଚ କାମ ପୁଣି ଆରମ୍ଭ ହୋଇଛି । ମନ୍ଦିରର ମୂଳରୁ ଚୂଳ ଯାଏଁ ବିଭିନ୍ନ ଅଂଶକୁ ବିଶେଷଜ୍ଞମାନେ ଡ୍ରୋନ କ୍ୟାମେରା ଜରିଆରେ ଲେଜର ସ୍କାନିଂ କରିଛନ୍ତି । ପ୍ରତି ପୀଢି, ପୋଟଳ ଓ ଚୂଡାର ବିଭିନ୍ନ ଅଂଶର ଫଟୋ ଡ୍ରୋନ ସହାୟତାରେ ଉଠାଯାଇଛି । ଡ୍ରୋନ କ୍ୟାମେରାରେ ଉତୋଳନ ହୋଇଥିବା ଓ ସ୍କାନିଂ ହୋଇଥିବା ଫଟୋଚିତ୍ର ଆଧାରରେ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ଅବସ୍ଥାରେ ଅଛି । ମନ୍ଦିରର ବିଭିନ୍ନ ସ୍ଥାନରେ ଏଏସଆଇ ସାଦା ପଥର ଲଗାଇଛି । ଏ ନେଇ ଅଭିଯୋଗ ପରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ମତ ଦେଇଥିଲେ ।
ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ଅବସ୍ଥାରେ ରହିଛି। ମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ମନ୍ଦିରର ବିଭିନ୍ନ ସ୍ଥାନରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ସାଦା ପଥର ଶୋଭାପାଉଛି। ମନ୍ଦିରର ବିଭିନ୍ନ ସ୍ଥାନରେ ଏଏସ୍ଆଇ ସାଦା ପଥର ଲଗାଇଛି। ଏଭଳି ଅନେକ ଅଭିଯୋଗ ଆସିବା ପରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣକୁ ଗମ୍ଭୀରତାର ସହ ନେବା ପାଇଁ କୋଣାର୍କରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ମତ ରଖିଥିଲେ। ମନ୍ତ୍ରୀଙ୍କ ତାଗିଦ ପରେ ଏଏସ୍ଆଇ ପକ୍ଷରୁ ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ୍ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିବା ଦେଖାଯାଇଛି। ମନ୍ଦିରର ମୂଳରୁ ଚୂଳ ପର୍ଯ୍ୟନ୍ତ ବିଭିନ୍ନ ଅଂଶକୁ ଆଜି ବିଶେଷଜ୍ଞମାନେ ଡ୍ରୋନ୍ କ୍ୟାମେରା ଜରିଆରେ ଲେଜର୍ ସ୍କାନିଂ କରିଛନ୍ତି।
ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦିଗରେ ଏଏସ୍ଆଇ କର୍ତ୍ତୃପକ୍ଷ କରିଆସିଥିବା ଅବହେଳା ଏବେ ଜଳଜଳ ହୋଇ ସାମ୍ନାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷରେ, ମନ୍ଦିରରେ ସାଦା ପଥର ଲଗାଯାଇଥିବା କଥାକୁ ଫାଙ୍କି ଦେଉଥିବା ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ମିଥ୍ୟା ପ୍ରହେଳିକା ଉପରୁ ମଧ୍ୟ ପରଦା ଉଠିଛି । ଦୁଇଦିନ ମଧ୍ୟରେ ମନ୍ଦିରର ଗୋଟିଏ ସ୍ଥାନରେ ଏଏସ୍ଆଇ ପକ୍ଷରୁ ଦୁଇଖଣ୍ଡ ସାଦା ପଥର ଲଗା ଯାଇଥିବା ଜଳଜଳ ହୋଇ ଦେଖାଯାଇଛି । ଫଳରେ ମନ୍ଦିରର ବିଭିନ୍ନ ଅଂଶରେ ଏଏସ୍ଆଇ ସାଦାପଥର ଲଗାଇଥିବା କଥା ସ୍ପଷ୍ଟ ପ୍ରମାଣିତ ହୋଇଛି । ମନ୍ଦିର ଗର୍ତ୍ତରେ ଲଗା ଯାଇଥିବା ସାଦା ପଥର ଭଳି ଅବିକଳ ପଥର ଲଗାଯାଇ ଏଏସ୍ଆଇ ପକ୍ଷରୁ ତା’ ଉପରେ ଦକ୍ଷିଣପଟ ଘୋଡ଼ାଦ୍ବାର ସାମ୍ନାକୁ ଅସ୍ଥାୟୀ ଫ୍ରେମ୍ ଦିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମନ୍ଦିରର ବିଭିନ୍ନ ଅଂଶରୁ ଲୁହା ପାଇପ୍ର ଭାରା ଖୋଲା ଯାଇଥିଲା।
ମାତ୍ର ଦକ୍ଷିଣପାର୍ଶ୍ବ ଘୋଡ଼ାଦ୍ବାରର କିଛି ଅଂଶରୁ ଲୁହା ପାଇପ୍ ଅଦ୍ୟାବଧି କଢ଼ାଯାଇ ନାହିଁ। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଉକ୍ତ ସ୍ଥାନରେ ମନ୍ଦିରର ଆଭ୍ୟନ୍ତରୀଣ ଅଂଶ ଓ ପ୍ରଥମପିଢ଼ି ବିପଦସଂକୁଳ ଅବସ୍ଥାରେ ରହିଥିବା ସ୍ପଷ୍ଟ ହୋଇଛି। ଏହାକୁ ରୋକିବା ପାଇଁ କଳଙ୍କି ବିହୀନ ଷ୍ଟିଲ୍ ଫ୍ରେମ୍ ଲାଗିବା ପୂର୍ବରୁ ଏଏସ୍ଆଇ ପକ୍ଷରୁ ଦକ୍ଷିଣପଟ ଘୋଡ଼ାଦ୍ବାର ସାମ୍ନାକୁ ସୁରକ୍ଷିତ ରଖିବାକୁ ଅସ୍ଥାୟୀ ଫ୍ରେମ୍ ଦିଆଯାଇଥିବା ଦେଖାଯାଇଛି। ଗଣମାଧ୍ୟମର ଦୃଷ୍ଟି ଆଢ଼ୁଆଳରେ ଉଭୟ ଡ୍ରୋନ୍ ସର୍ଭେ ଓ ଅସ୍ଥାୟୀ ଫ୍ରେମ୍ ଲଗାଯିବା କାର୍ଯ୍ୟ ଜାରି ରହିଛି। ଅପରପକ୍ଷେ ମନ୍ଦିରର ସରଂକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କୋଣାର୍କ ସୁରକ୍ଷା ସମିତିର ସଂପାଦକ ରାମକୃଷ୍ଣ ମହାନ୍ତିଙ୍କ ସମେତ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି।