ପରିଣତ ବୟସରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଆଶ୍ରୟ । ଭୋକ ଉପାସରେ ଦିନ କାଟୁଛନ୍ତି କୋରେଇ ବ୍ଲକର ସୁଲୋଚନା । ସରକାରୀ ଯୋଜନା ସାତସପନ । ଗ୍ରାମବାସୀଙ୍କ ହାତ ଟେକାରେ ପୁରୁଛି ପେଟ । 

197

କନକ ବ୍ୟୁରୋ : ବୟସ ୬୦ ଟପିଲାଣି । ଆଖିକୁ ଭଲ ଦିଶୁନି । ନିଜର ବୋଲି ଏବେ କେହି ନାହାନ୍ତି । ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ସୁଲୋଚନା ଦାଶ ଏପରି ଅବସ୍ଥାରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏମାନଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ଏସବୁ ତାଙ୍କ ଠାରୁ ବହୁ ଦୂରରେ । ପରିଣତ ବୟସରେ ଅବଶିଷ୍ଟ ଜୀବନ କେମିତି ଜିଇଁବେ ତାକୁ ନେଇ ଦୋଛକିରେ ପଡିଛନ୍ତି ବୃଦ୍ଧା ଜଣକ ।

ମାଟି ଝାଟିର ଭଂଗା ଘର । ଛଣ ଛପର ଉଡିଗଲାଣି । ଦିନରେ ସୂର୍ଯ୍ୟ ତ ଘର ଭିତରେ ରାତିରେ ଦିଶିବ ଚନ୍ଦ୍ର । ଏହି ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଂଜିଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବାରଦା ଅଂଚଳର ସୁଲୋଚନା ଦାଶ । ବୟସ ୬୦ ଟପିଲାଣି । ସ୍ୱାମୀଙ୍କ ପରଲୋକଙ୍କୁ ବିତିଗଲାଣି ୧୨ ବର୍ଷ । ସନ୍ତାନ କହିଲେ କେହି ନାହାନ୍ତି । ଏବେ ଖାଇବାକୁ ଦାନା ନାହିଁ, କି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନାହିଁ । ଏପରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସୁଲୋଚନା । ଗ୍ରାମବାସୀଙ୍କ ଠାରୁ ମାଗି ଯାଚି ଯାହା ମିଳୁଛି ସେଥିରେ ଦିନ କଟୁଛି ।

ବର୍ଷା ଦିନରେ ଭଂଗା ଘରେ ମାଗି ଯାଚି ପାଲ ଖଣ୍ଡିଏ ପକାଇ ପେଟର ଭୋକ ପେଟରେ ମାରି ଦିନ କାଟୁଛନ୍ତି ଏହି ଅସହାୟ ବୃଦ୍ଧା । ଏମାନଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା ରହିଛି । ହେଲେ ଏସବୁ କିନ୍ତୁ ସୁଲୋଚନାଙ୍କ ନିକଟରେ ପହଁଚି ପାରିନି । ସ୍ଥିତି ଯାଂଚ କରି ସରକାରୀ ଯୋଜନାରେ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।