ଜଳଘେରରୁ ମୁକ୍ତ ହେବେ ପୁରୀ ସୁଜାତାନଗର ବାସିନ୍ଦା : ରାଜପଥ କାଟି ପାଣି ନିଷ୍କାସନ ପ୍ରକିୟା ଆରମ୍ଭ, ଦୀର୍ଘ ଦୁଇମାସ ହେଲା ଅଛନ୍ତି ଜଳବନ୍ଦୀ

28

କନକ ବ୍ୟୁରୋ : ପୁରୀ ସୁଜାତା ନଗରର ଲୋକଙ୍କୁ ଜଳବନ୍ଦୀରୁ ମିଳିବ ମୁକ୍ତି । ପାଣି ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ଡ୍ରେନେଜ୍ ବିଭାଗ ଅଧିକାରୀ ଓ ଜାତୀୟ ରାଜପଥ ଅଧିକାରୀ ଉପସ୍ଥିତ ଅଛନ୍ତି । ଜାତୀୟ ରାଜପଥର ୨ ଫୁଟ କଟାଯାଇ ପାଣି ନିଷ୍କାସନ କରାଯାଉଛି । ପୁରୀ ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡ ସୁଜାତା ନଗରରେ ବର୍ଷା ପାଣିରେ ପ୍ରାୟ ୧୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଅନେକ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଯଦି ବି କେହି ବାହାରୁଛନ୍ତି ତେବେ ସେମାନଙ୍କୁ ଡଙ୍ଗାରେ ପାରି ହେବା ପାଇଁ ପଡୁଛି । ବାହୁଡା ଯାତ୍ରା ପୂର୍ବ ଦିନଠାରୁ ସୁଜାତାନଗର ଲୋକେ ଏପରି ଅବସ୍ଥାରେ ରହି ହନ୍ତସନ୍ତ ହେଉଛନ୍ତି ।

ସୂଚନାଯୋଗ୍ୟ ପୁରୀ ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡ ସୁଜାତା ନଗରରେ ବର୍ଷା ପାଣିରେ ପ୍ରାୟ ୧୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ପାଣି ଘେରରେ ଥିବା ଲୋକ ଥଣ୍ଡା ଜ୍ୱର ଓ ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ପୂର୍ବରୁ ତହସିଲଦାର, ଜନସ୍ୱାସ୍ଥ୍ୟ ବିଭାଗ ଓ ଆର ଆଇ ଘଟଣା ସ୍ଥଳରେ ପହଚିଂ ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।