ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ନେଇ ଜାମ୍ମୁ-କାଶ୍ମୀର ପୋଲିସର ବଡ ଖୁଲାସା : ପାକିସ୍ତାନରୁ ଦିଆଯାଇଥିଲା ସୁପାରୀ

30

କନକ ବ୍ୟୁରୋ : ବୁଖାରୀଙ୍କ ପାଇଁ ସୁପାରୀ ଦେଇଥିଲା ପାକିସ୍ତାନ । ସୁଜାତ୍ ବୁଖାରୀଙ୍କୁ ହତ୍ୟା କରିବାକୁ ସୀମା ସେପାଖରୁ ଆସିଥିଲା ନିର୍ଦ୍ଦେଶ । ଜାମ୍ମୁ କଶ୍ମୀରର ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀ ହତ୍ୟା ମାମଲାରେ ସାମନାକୁ ଆସିଛି ଏପରି ଚାଂଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଏପରି ସୂଚନା ଦିଆଯାଇଛିି । ସୁଜାତ୍ ବୁଖାରୀ ହତ୍ୟାକାଣ୍ଡର ତଦନ୍ତ ସହ ସିଧାସଳଖ ସଂପୃକ୍ତ ଥିବା ଜମ୍ମୁକଶ୍ମୀର ପୋଲିସର କିଛି ଅଧିକାରୀ ଏହି ଖୁଲାସା କରିଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ କାଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଥିବା ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀଙ୍କୁ ହତ୍ୟା କରିବା ପାଇଁ ସୀମା ଆରପଟୁ ନିର୍ଦ୍ଦେଶ ଆସିଥିଲା । ଆଉ ପାକିସ୍ତାନରୁ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ଆତଙ୍କବାଦୀମାନେ ବୁଖାରୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ ।

ତେବେ ବୁଖାରୀଙ୍କ ହତ୍ୟାକାରୀଙ୍କୁ ଚିହ୍ନଟ କରାସରିଛି ବୋଲି ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏହି ହତ୍ୟାକାଣ୍ଡରେ ବିଛିନ୍ନତାବାଦୀ ନେତାଙ୍କ ସହ ଜମାତ୍-ଏ-ଇସଲାମୀ ନେତାଙ୍କ ସଂପୃକ୍ତି ସମ୍ପର୍କରେ ମଧ୍ୟ ସୁରାକ୍ ମିଳିଛି । କଶ୍ମୀର ଘାଟିକୁ ଅଶାନ୍ତ କରି ରଖୁଥିବା ଦିଗରେ ବିଚ୍ଛିନ୍ନତାବାଦୀ ସଙ୍ଗଠନଗୁଡିକର ଭୂମିକାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ସମାଲୋଚନା କରୁଥିଲେ ରାଇଜିଂ କଶ୍ମୀର ସମ୍ପାଦକ ସୁଜାତ୍ ବୁଖାରୀ । ଯେଉଁଥି ପାଇଁ ବିଛିନ୍ନତାବାଦୀ ନେତା ଓ ସେମାନଙ୍କୁ ସମର୍ଥନ ଯୋଗାଇ ଦେଉଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନର ବିଷଦୃଷ୍ଟିରେ ପଡିଥିଲେ ସାମ୍ବାଦିକ ବୁଖାରୀ ।