କନକ ବ୍ୟୁରୋ : ବୁଡ଼ି ଅଞ୍ଚଳ ଜମିର ଉଚିତ ପ୍ରାପ୍ୟ ପ୍ରଦାନ ନେଇ ଗ୍ରାମବାସୀଙ୍କ ଦାବି। ଦାବି ପୂରଣ ନହେଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଗୁହାରି କରିବୁ। ଏମିତି କିଛି ଦାବି କରି ଏକାଠି ହୋଇଛନ୍ତି ବୁଡ଼ି ଅଞ୍ଚଳବାସୀ। ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର କରିଛନ୍ତି । ୧୯୮୫ରେ କୋଲାବ ପାଇଁ ବିସ୍ଥାପିତ ହୋଇଥିଲା କୋରାପୁଟ ପଦ୍ମପୁର ପଞ୍ଚାୟତର ବରଗୁଡ଼ା, କୋଟିଆଗୁଡ଼ା ଓ ଗୋପାଳପୁଟ ଗାଁ। ନଦୀର ପ୍ରବାହ ପାଇଁ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଜମି ବାବଦକୁ ଉଚିତ ପ୍ରାପ୍ୟ ମିଳିଲାନି। କମ୍ ଟଙ୍କା ମିଳିଥିବାରୁ ବୁଡ଼ି ଅଞ୍ଚଳବାସୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ୨୦୧୪ରେ ଜମି ସର୍ଭେ କରି ଉଚିତ ମୂଲ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଏହି ନିର୍ଦ୍ଦେଶକୁ ୧୨ ବର୍ଷ ବିତିଲାଣି, ଆଜି ପର୍ଯ୍ୟନ୍ତ ବୁଡ଼ି ଅଞ୍ଚଳବାସୀଙ୍କୁ ତାଙ୍କ ସଠିକ ପାଉଣା ମିଳିପାରିନି। ଯାହାକୁ ନେଇ ଏକାଠି ହୋଇଛନ୍ତି କ୍ଷତିଗ୍ରସ୍ତ। ପୁଣି ଏକ ଲିଖିତ ନିବେଦନ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Advertisment

ନିଜ ଅଧିକାର ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ବୁଡ଼ି ଅଞ୍ଚଳର ପ୍ରତ୍ୟେକଟି ଲୋକ। କିନ୍ତୁ ଆଜି ଯାଏଁ ନ୍ୟାୟ ମିଳିନି। ଏବେ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ଲୋକେ। ଅତିରିକ୍ତ ଜିଲ୍ଲାପାଳ ଭୂ-ଅର୍ଜନ ଅଧିକାରୀଙ୍କ ସହ ଆଲୋଚନା କଲା ପରେ ଖୁବଶୀଘ୍ର ସମାଧାନ ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଆଗାମୀ ଦିନରେ ସମାଧାନର ବାଟ ନବାହାରିଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଗୁହାରି କରିବା ନେଇ କହିଛନ୍ତି ୩ ଖଣ୍ଡ ଗାଁର ଲୋକ । କୋଲାବ ପାଇଁ ନିଜ ବାସ ହରାଇଲେ। ଏବେ ନିଜ ଅଧିକାର ପାଇଁ ବାର ଦୁଆର ହେଉଛନ୍ତି। କେବେ ସରକାର ଏମାନଙ୍କ ଦୁଃଖ ବୁଝୁଛନ୍ତି ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ---ନାରାୟଣୀ ଠାକୁରାଣୀଙ୍କୁ ନେଇ ଗୋଷ୍ଠୀ ସଙ୍ଘର୍ଷ; ବିବାଦ ଭିତରେ ମନ୍ଦିରରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ