ସଫଳ ଚାଷୀ ସୁଶାନ୍ତ : ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ଚାକିରି ପଛରେ ନଧାଇଁ କରୁଛନ୍ତି ଚାଷ,ନିଜ ସହ ୧୦ ଜଣଙ୍କୁ କରିଛନ୍ତି ସ୍ୱାବଲମ୍ବୀ

382

କନକ ବ୍ୟୁରୋ : ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ବି ମିଳିଲାନି ଚାକିରି । ସେଥିପାଇଁ ଚାଷକୁ ବୃତ୍ତି କଲେ ଯୁବକ । ନିଜେ ସ୍ୱାବଲମ୍ବୀ ହେବା ସହ ୧୦ ଜଣଙ୍କୁ ଚାକିରୀ ଦେଇ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଝାରସୁଗୁଡା ଜିଲ୍ଲାର ସୁଶାନ୍ତ ପ୍ରାଧନ ।

ପରିବା ଚାଷରେ ଭରପୁର ବିଲ । ଭଳି କି ଭଳି ପନି ପରିବାରେ ପୁରିଛି କ୍ଷେତ । ଆଜିର ଯୁଗରେ ଚାଷବାସରୁ ଦୁରେଇ ଯାଉଥିବା ଯୁବପିଢୀଙ୍କୁ ବାର୍ତ୍ତା ଦେବ ଏ ପରିବା କ୍ଷେତ । କାରଣ ଏହା ପଛରେ ରହିଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ହେଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପାଂଚଗାଁ ପଂଚାୟତର ସୁଶାନ୍ତ ପ୍ରଧାନ । ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ଚାକିରୀର ସନ୍ଧାନ ଆରମ୍ଭ କରିଥିଲେ ସୁଶାନ୍ତ । ହେଲେ ଚାକିରୀ ନ ମିଳିବାରୁ ହତାଶ ନହୋଇ ପୈତୃକ ଚାଷ ଜମିରେ ଆରମ୍ଭ କରିଥିଲେ ଚାଷବାସ । ଅତ୍ୟାଧୁନିକ ପ୍ରଣାଳୀରେ ପ୍ରଥମେ ଧାନଷାଚ ପରେ ପନିପରିବା ଚାଷ କରିଥିଲେ ସୁଶାନ୍ତ । ସରକାର ଙ୍କ ଉଠାଜଳସେଚନ ଯୋଜନାରେ ନିଜ ଜମିରେ ଏକ ନଳକୂପ ର ଖନନ କରିଥିଲେ ଓ ପାଖାପାଖି ୩ ଏକଡ ଜମିରେ ବାଇଗଣ ଚାଷ କରିଥିଲେ ସୁଶାନ୍ତ । ୨୦୧୫ରେ ପାଖାପାଖି ୫ ଲକ୍ଷ ଟଙ୍କାର ବାଇଗଣ ବିକ୍ରି କରିଥିଲେ ସୁଶାନ୍ତ ।

ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବାଇଗଣ, ଟମାଟୋ, କଲରା, ପୋଟଳ, ସିମଲା ମିର୍ଚ୍ଚ, ଆଦି ଚାଷ କରୁଛନ୍ତି । ନିଜ ବିଲରୁ ଉତ୍ପାଦିତ ପନିପରିବାକୁ ଆଖପାଖ ବଜାରରେ ବିକ୍ରି କରିବା ସହ ଛତିଶଗଡ ଓ ରାଇଗଡକୁ ମଧ୍ୟ ପଠାଇଥାନ୍ତି । ଆଉ ନିଜର ଏହି ପରିବା ଚାଷରେ ବର୍ଷକୁ ୧୨-୧୫ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ନିଜର ଏହି ଚାଷ କାର୍ଯ୍ୟ ଜରିଆରେ ଗାଁର ୧୦ଜଣଙ୍କୁ ରୋଜଗାର ଯୋଗାଇ ସ୍ୱାବଲମ୍ବୀ କରାଇ ପାରିଛନ୍ତି ସୁଶାନ୍ତ ।

ସ୍ଥାନୀୟ ଅଂଚଳରେ ଶୀତଳ ଭଣ୍ଡାର ଟିଏ ନଥିବାରୁ ଅନେକ ଅସୁବିଧା ସାମ୍ନାକରିଥାନ୍ତି ଚାଷୀ । ଏ ଅଂଚଳରେ ଶୀତଳ ଭଣ୍ଡାରର ବ୍ୟବସ୍ଥା କଲେ ଏବଂ ଖାଦ୍ୟପ୍ରକ୍ରିୟା କରଣ କରାଗଲେ ଆହୁରି ପରିବା ଚାଷରୁ ଆହୁରି ଲାଭ କରିପାରନ୍ତେ ଏବଂ ସ୍ଥାନୀୟ ରୋଜଗାର ପାଇଁ ବାଟ ଫିଟନ୍ତା ବୋଲି କହିଛନ୍ତି ସୁଶାନ୍ତ ।