କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଅଧାରୁ ଅଧିକ ଓଡ଼ିଶାରେ ତାଲାବନ୍ଦ, ମୋଟ ୧୪ ଜିଲ୍ଲାକୁ ଲକ୍ ଡାଉନ୍ କଲେ ସରକାର

1,201

କନକ ବ୍ୟୁରୋ : କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ଏଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧାରୁ ଅଧିକ ଓଡ଼ିଶାକୁ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି ସକାଳୁ ଆଉ ୯ଟି ଜିଲ୍ଲାକୁ ତାଲାବନ୍ଦ କରିଛନ୍ତି ସରକାର । ଅର୍ଥାତ୍ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । କେବଳ ସେତିକି ନୁହେଁ କାଲି ସକାଳ ୧୧ଟା ପରଠାରୁ ସମସ୍ତ ବସ୍ ସେବାକୁ ବାତିଲ କରି ଦେଇଛନ୍ତି ସରକାର । ସିଟି ବସ୍ ଗୁଡିକୁ ଆଜି ମଧ୍ୟ-ରାତିରୁ ବନ୍ଦ କରି ଦିଆଯାଇଛି । ଏପରକି ଆବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୨ ତାରିଖ ଠାରୁ ୫ ଜିଲ୍ଲା ଓ ୮ ସହରକୁ ତାଲାବନ୍ଦ ଘୋଷଣା କରିଥିବା ବେଳେ ୨୪ ତାରିଖ ସକାଳୁ ଆଉ ୯ଟି ଜିଲ୍ଲାର ଗାଁଠୁ ସହର ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଜରୁରୀ ସେବା ଓ ଆବଶ୍ୟକତାକୁ ବାଦ ଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର ।

୯ ଜିଲ୍ଲା ହେଉଛି – ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା

ପୂର୍ବରୁ ୫ ଜିଲ୍ଲା ଓ ୮ ସହରକୁ ତାଲାବନ୍ଦ କରାଯାଇଥିଲା । ସେହି ୫ ଜିଲ୍ଲା ହେଉଛି – ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ

୮ ସହର ହେଉଛି – ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍

କାଲିଠୁ ରାଜ୍ୟରେ ଗଡ଼ିବନି ବସ୍ । କରୋନା ମୁକାବିଲା ପାଇଁ ଆହୁରି କଠୋର ପଦକ୍ଷେପ ନେଲେ ସରକାର । ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ୧୦ ପ୍ରତିଶତ କର୍ମଚାରୀ ରେ କାମ କରିବାକୁ କୁହାଯାଇଛି । ଅତି ଜରୁରୀ ସେବା ଯୋଗାଉ ନଥିବା କାର୍ଯ୍ୟାଳୟ ୧୦ ପ୍ରତିଶତ କର୍ମଚାରୀ ରେ କାର୍ଯ୍ୟ କରିବେ । ସରକାରୀ ଅଫିସକୁ ୩ ଭାଗରେ ବିଭକ୍ତ କରାଯାଇଛି । ଅତି ଜରୁରୀ ସେବା ଯୋଗାଉଥିବା ବିଭାଗରେ ୫୦ ପ୍ରତିଶତ କର୍ମଚାରୀ, ମଧ୍ୟମ ଜରୁରୀ ସେବା ଯୋଗାଉଥିବା ବିଭାଗରେ ୧୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ । ଜରୁରୀ ନଥିବା ସେବା ଯୋଗାଉଥିବା ବିଭାଗର କର୍ମଚାରୀ ଦରକାର ପଡ଼ିଲେ ଅଫିସ ଆସିବେ । ସେମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।
ମହାମାରୀର ରୂପ ନେବା ପୂର୍ବରୁ ଏହାକୁ ରୋକିବା
ଅଳ୍ପ ସମୟ ଭିତରେ ଆବଶ୍ୟକ ସାଧନ ଉପଲବ୍ଧ କରାଇବା
ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ସ୍ୱାଭାବିକ ରଖିବା

କରୋନା ସଂକ୍ରମଣ କିପରି ମହାମାରୀର ରୂପ ନେବନାହିଁ, ସେଥିପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯେହେତୁ କରୋନା ପାଇଁ କୌଣସି ଚିକିତ୍ସା ନାହିଁ, ସଚେତନତା, ସଙ୍ଗରୋଧ ଓ ତାଲାବନ୍ଦ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ।