କନକ ବ୍ୟୁରୋ : କରୋନା ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଅପିଲ୍ । ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରେକିଂ ନ୍ୟୁଜର ବେଳ ନୁହେଁ । ବ୍ରେକିଂ ନ୍ୟୁଜ ପଛରେ ନଗୋଡ଼ାଇ ସଚେତନ ହେବାର ବେଳ ଆସିଛି । ବର୍ତ୍ତମାନ ସମୟରେ ସଜାଗ ସଚେତନ ରହିବା ସହ ସହଯୋଗର ବି ବିଶେଷ ଆବଶ୍ୟକତା ରହିଛି ।
ଚିକିତ୍ସା ବେଳେ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥା ଅଚଳ କରିବା ଠିକ୍ ନୁହେଁ । ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସକଙ୍କୁ ମାନଙ୍କୁ ଅସ୍ତବ୍ୟସ୍ତ କରନ୍ତୁ ନାହିଁ । ଚିକିତ୍ସା ସମୟରେ ତାଙ୍କୁ ଭିଡ଼ିଓ କିମ୍ବା ବାଇଟ୍ ମାଗିଲେ, ନିଜେ ଓ ଚିକିତ୍ସିତ ହେଉଥିବା ଲୋକେ ବିପଦରେ ପଡ଼ିବେ । ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ । ତେଣୁ ଏପରିସ୍ଥିତିରେ ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ଠେଲି ଖବର ପରିବେଷଣ ନକରିବାକୁ ପରାମର୍ଶ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ।
କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ଏବେ ହସ୍ପିଟାଲ କର୍ମଚାରୀ ମାନେ ମନପ୍ରାଣ ଦେଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ କାମରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଦେଖିବାକୁ ମିଳୁଛି ଗଣାମଧ୍ୟମର ପ୍ରତିନିଧିମାନେ ବାଇଟ୍ ନେବା ପାଇଁ ଆକ୍ରାନ୍ତଙ୍କ ପରିବାର ପାଖରେ ପହଞ୍ଚି ଯାଉଛନ୍ତି । କରୋନା ଭାଇରସ୍ ଗଣାମଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର କୋଟା ପ୍ରଦାନ କରୁନି । ଏପରି କରିବା ଦ୍ୱାରା ନିଜେ ବିପଦ ଆଡ଼କୁ ଟାଣି ହୋଇଯିବା ସହ ନିଜ ପରିବାର ଲୋକ ମଧ୍ୟ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି । ନିଜ କଥା ଭବନ୍ତୁ । ପରିବାର କଥା ଚିନ୍ତା କରନ୍ତୁ । ଚିକିତ୍ସା ବ୍ୟବସ୍ଥାକୁ ସମ୍ମାନ ଜଣାଇ ଦାୟିତ୍ୱ ସମ୍ପନ୍ନ ହୋଇ ଖବର ପରିବେଷଣ କରିବାକୁ ପଡ଼ିବ ।
ଅନ୍ୟପଟେ ଦେଖିବାକୁ ମିଳିଛି କିଛି ଡିଜିଟାଲ୍ ମିଡ଼ିଆ ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି । ତେବେ ଏପରି ସମୟରେ ଦାୟିତ୍ୱସମ୍ପର୍ଣ୍ଣ ହୋଇ ଆପାତକାଳୀନ ପରସ୍ଥିିତିର ମୁକାବିଲା କରିବା ଉଚିତ । ଏପରି ନକଲେ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।
Follow Us