ଦୁର୍ଗମ ଅଞ୍ଚଳ ବୁଲିଲେ ଉପଜିଲ୍ଲାପାଳ : ନଦୀପାର ହୋଇ ଆଦିବାସୀ ଲୋକଙ୍କ ଦୁଃଖ ବୁଝିଲେ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ

449
କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ବ୍ରହ୍ମପୁର ଉପଜିଲ୍ଲାପାଳ । ଗ୍ରାମବାସୀଙ୍କ ସହ ନଦୀ ପାର ହୋଇ ଆଦିବାସୀ ଗାଁରେ ପହଞ୍ଚିିଲେ ଉପ ଜିଲ୍ଲାପାଳ । ପାତ୍ରପୁର ତହସିଲର ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଅନେକ ଆଦିବାସୀ ଗାଁ  ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ପ୍ରକଳ୍ପରେ ପାଣି ଭର୍ତ୍ତି ହେବାପୂର୍ବରୁ ୮ଟି ଗ୍ରାଁର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଥଇଥାନ କରାଯାଇଥିଲା । ତେବେ ଜଳଭଣ୍ଡାର ଉପରେ ଅଂଶରେ ଥିବାରୁ ବେହରାପୁଟୁ, ଶିରିଶିଗଣ୍ଡ, ଏଲଗଲ ଓ ମାଡ଼ୁଆ ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇନଥିଲା । ପାଣିର ଡର ନାହିଁ ସିନା ହେଲେ ଯିବାଆସିବା ପାଇଁ ଅନେକ ଅସୁବିଧା ଭୋଗୁଛନ୍ତି ଏହି ଗ୍ରାମର ଆଦିବାସୀ ଲୋକେ ।
ପ୍ରକଳ୍ପ ପରେ ତିତଲି ବାତ୍ୟା ସମୟରେ ଆଦିବାସୀ ଗ୍ରାମ ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ଏହି ଗ୍ରାମ ଗୁଡ଼ିକ ଉପରେ ଦାଉ ସାଧୁଥିଲା । ତେବେ ଗତ ୩୧ ତାରିଖରେ ହୋଇଥିବା ବାଦଲଫଟା ବର୍ଷାରେ ଆଦିବାସୀଙ୍କୁ ଦୁଃଖ ବଳେଇ ପଡ଼ିଥିଲା । ଏଲଗଲ ଗାଁ ଭିତରକୁ ପାହାଡ଼ରୁ ପାଣି ପଶିଆସିଥିଲା । ବର୍ଷା ଜଳ ପ୍ରବେଶ ପରେ ଅତି ଦୟନୀୟ ଅବସ୍ଥାରେ କାଳ କାଟୁଥିଲେ ଗ୍ରାମବାସୀ । ଗାଁର ଲୋକଙ୍କ ଅସୁବିଧା ସମପର୍କରେ ଅବଗତ ହେବାପରେ ନଦୀନାଳ ପାର ହୋଇ ସ୍ଥିତି ପରଖିବା ପାଇଁ ନିଜେ ପହଞ୍ଚିଯାଇଥିଲେ  । ଏହି ଚାରି ଆଦିବାସୀ ଗାଁରେ ପଂହଚି ଜିଲ୍ଲାପାଳ ଲୋକଙ୍କ ସହ ଆଲୋଚନା  କରିଥିଲେ । କେବଳ ଏତିକି ନୁହେଁ ଆଦିବାସୀ ଲୋକଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଛନ୍ତି ।
ଉପଜିଲ୍ଲାପାଳ ତାଙ୍କ ଗସ୍ତ କାଳରେ ଆଦିବାସୀ ଲୋକଙ୍କ ସୁବିଧା ପାଇଁ ଡୁରୁବୁଡ଼ି ପଞ୍ଚାୟତର ଝଗଡ଼ାପଲ୍ଲୀ ଗାଁ ନିକଟ ଦେଇ ଯାଇଥିବା ପକ୍କା ରାସ୍ତା ନିକଟରେ ଥଇଥାନ୍ ଜମି ଚିହ୍ନଟ କରିଛନ୍ତି । ଉକ୍ତ ଜମିରେ ଲୋକଙ୍କୁ ଥଇଥାନ୍ କଲେ ସେମାନଙ୍କୁ ଗମନାଗମନ ସୁବିଧା ପାଇପାରିବେ । ଏହାବ୍ୟତିତ ମହିଳାଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେବାସହ ଗାଁ ଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।