ରାସ୍ତା ମରାମତି ପାଇଁ ୩୦ କିମି ଚାଲିଲେ ୪ ଛାତ୍ରଛାତ୍ରୀ : ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ଶୁଣାଇଲେ

368

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସାହାବାଜପୁର-ବିଜୟନଗର ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ସାରା ଖାଲଖମା । ବର୍ଷାରେ ସ୍ଥିତି ସଂଗିନ ହୋଇପଡ଼ିଛି । ଗତକାଲି ମହାକାଳପଡ଼ା କଲେଜର ୪ ଜଣ ଛାତ୍ରଛାତ୍ରୀ ୩୦ କିଲୋମିଟର ବାଟ ଚାଲି ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟା ଜଣାଇଛନ୍ତି । ତୁରନ୍ତ ରାସ୍ତା ମରାମତି କରିବାକୁ ଗୁହାରି କରିଛନ୍ତି । ରାସ୍ତା ପାଇଁ ଛାତ୍ରଛାତ୍ରୀଙ୍କ ଏହି ପଦଯାତ୍ରା ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ବିଜୟନଗର ଛକ ଶଙ୍ଖୁଆ ପୋଲ ନିକଟ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ଆଜି ସକାଳେ ଏକ ମାଲବାହୀ ଟ୍ରକ୍ ଫସି ଯାଇଥିଲା । ସେହି ରାସ୍ତାରେ ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ପିଲା ସ୍କୁଲ, କଲେଜ ଯାଇ ପାରିଲେ ନାହିଁ । କେତେକ ଛାତ୍ରଛାତ୍ରୀ ଗୁରୁ ପୂଜନରୁ ବଞ୍ଚିତ ହୋଇଥିଲେ । ଏହି ସମସ୍ୟାକୁ ନେଇ ମହାକାଳପଡ଼ା କଲେଜ ଯୁକ୍ତ ୩ ଶ୍ରେଣୀର ଓମ୍‌ ପ୍ରକାଶ ସେଠୀ, ଭାନୁପ୍ରିୟା ସାହୁ, କାମିନୀ ସାହୁ, ଚିନୁଲତା ଖଟୁଆ ପ୍ରମୁଖ ବିଜୟନଗରରୁ ୩୦ କିମି ବାଟ ଚାଲିଚାଲି ଆସି କେନ୍ଦ୍ରାପଡ଼ାସ୍ଥିତ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ଆଳି ଗସ୍ତରେ ଥିଲେ । ସେଠାରେ ପିଲାମାନେ ତାଙ୍କୁ ଅପେକ୍ଷା କରି ରହିଥିଲେ।

ଜିଲ୍ଲାପାଳ ଆଳିରୁ ଫେରିବା ପରେ ପିଲାଙ୍କ ସହ କଥା ହୋଇଥିଲେ । ୨ ଦିନ ଭିତରେ ରାସ୍ତା ମରାମତି କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାସ୍ତା କାମ ନ ହେଲେ ତାଙ୍କୁ ଜଣାଇବାକୁ ଜିଲ୍ଲାପାଳ କହିବାରୁ ଛାତ୍ରଛାତ୍ରୀ ଘରକୁ ଫେରିଥିଲେ ।