ଟ୍ରାଫିକ୍‌ ନିୟନ୍ତ୍ରଣରେ ସାମିଲ ହେବେ ଛାତ୍ରଛାତ୍ରୀ ! ରାଜ୍ୟର କିଛି ପ୍ରମୁଖ ସହରରେ ଲାଗୁହେବ ବ୍ୟବସ୍ଥା

36

କନକ ବ୍ୟୁରୋ : ଟ୍ରାଫିକ୍‌ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଷ୍ଟୁଡେଣ୍ଟ-ଟ୍ରାଫିକ୍‌ ଭଲ୍ୟୁଣ୍ଟର୍‌ ବ୍ୟବସ୍ଥା କମିସନରେଟ୍‌ ପୁଲିସରେ ସଫଳ ହେବା ପରେ ଏବେ ରାଜ୍ୟର ଆଉ କିଛି ପ୍ରମୁଖ ସହରରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ପୁଲିସ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ରାଜ୍ୟ ସରକାର । ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ କୋରାପୁଟ ସହରରେ ପ୍ରଥମେ ଏହି ଯୋଜନା ଲାଗୁ ହେବ । ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଉପରୋକ୍ତ ଜିଲ୍ଲା ଏସ୍‌ପିିମାନଙ୍କୁ ଅବଗତ କରାଯାଇଛି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଦିନକୁ ଦିନ ଏସବୁ ସହରରେ ଟ୍ରାଫିକ୍‌ ସମସ୍ୟା ବଢ଼ି ଚାଲିଛି । ଯେଉଁ ଅନୁପାତରେ ଗାଡ଼ି ମୋଟର ଚାଲୁଛି ସେହି ସଂଖ୍ୟାରେ ଟ୍ରାଫିକ୍‌ କର୍ମଚାରୀ ନାହାନ୍ତି । ଫଳରେ ଟ୍ରାଫିକ୍‌ ଜାମ୍‌ ହେବା ସହ ଦୁର୍ଘଟଣା ମଧ୍ୟ ସେହି ଅନୁସାରେ ବଢ଼ି ଚାଲିଛି । ବିଶେଷ କରି ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ସହରରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି । ତେଣୁ କମିସନରେଟ୍‌ ପୁଲିସରେ ଯେଭଳି ଷ୍ଟୁଡେଣ୍ଟ-ଟ୍ରାଫିକ୍‌ ଭଲ୍ୟୁଣ୍ଟର୍‌ମାନେ ସହଯୋଗ କରୁଛନ୍ତି ସେହିଭଳି ଉପରୋକ୍ତ ସହରଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା କରିବେ । ପ୍ରତ୍ୟେକ ଦିନ ସେମାନେ ମାତ୍ର ୩ ଘଣ୍ଟା ଯେ କୌଣସି ଛକରେ ଠିଆ ହୋଇ ଟ୍ରାଫିକ୍‌ ପୁଲିସକୁ ସହଯୋଗ କରିବେ ।

ଏଥିପାଇଁ ସେମାନଙ୍କୁ ଜିଲ୍ଲାର ପୁଲିସ ମୁଖ୍ୟାଳୟରୁ ଏକ ଫର୍ମ ଆଣିବାକୁ ପଡ଼ିବ । ସେହି ଫର୍ମପୂରଣ କରିବା ପରେ କଲେଜ ଅଧ୍ୟକ୍ଷ ଦସ୍ତଖତ କରିବେ । ଏହି ଫର୍ମକୁ ପୁଲିସ ମୁଖ୍ୟାଳୟରେ ଜମା କରିବା ପରେ ସେମାନଙ୍କ ମଧ୍ୟରୁ ପୁଲିସ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାଛିବ । ସେମାନଙ୍କୁ ସ୍ୱତନ୍ତ୍ର ଡ୍ରେସ୍‌, ଟୋପି ଆଦି ମଧ୍ୟ ଯୋଗାଇ ଦିଆଯିବ। ପାରିଶ୍ରମିକ ବାବଦରେ ମାସକୁ ସେମାନେ ୩ ହଜାର ଟଙ୍କା ପାଇବେ । ଏହା ଛଡ଼ା ସେମାନଙ୍କୁ ବୀମାଭୁକ୍ତ ମଧ୍ୟ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଏପଟେ କମିସନରେଟ୍‌ ପୁଲିସ ବ୍ୟବସ୍ଥାରେ ଷ୍ଟୁଡେଣ୍ଟ-ଟ୍ରାଫିକ୍‌ ଭଲ୍ୟୁଣ୍ଟର ବ୍ୟବସ୍ଥା ସଫଳ ହେବା ପରେ କମ୍ୟୁନିଟି ଟ୍ରାଫିକ୍‌ ପୁଲିସ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ଚାଲିଛି । ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିବା ପରେ ଏହା କାର୍ଯ୍ୟକାରୀ ହେବ । ସ୍ଥାନୀୟ ଯୁବକମାନେ ନିଜ ନିଜ ଅଞ୍ଚଳରେ ଥିବା ଛକରେ ଟ୍ରାଫିକ୍‌ ପୁଲିସ ସହିତ ମିଶି ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା କରିବେ ।