ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ କଲେଜରେ ଉତ୍ତେଜନା ! ଭୁବନେଶ୍ୱର ବିଜେବି କଲେଜରେ ବୋମାମାଡ, ନିର୍ବାଚନ ବନ୍ଦ ଦାବିରେ ଛାତ୍ରୀଙ୍କ ଧାରଣା

29

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ତେବେ ଏହା ପୂର୍ବରୁ ବିଭିନ୍ନ କଲେଜରେ ଦେଖାଦେଇଛି ପ୍ରାକ୍ ନିର୍ବାଚନୀ ହିଂସା । ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେବି କଲେଜ ଅଶାନ୍ତ ହୋଇପଡିଛି । ସଂଧ୍ୟାରେ ଗର୍ଲସ ହଷ୍ଟେଲ ଆଗରେ ବୋମାମାଡକୁ ନେଇ ଉତ୍ତେଜନା ଦେଖାଦେଇଛି । ଏପରିକି ଏହି ଆକ୍ରମଣରେ ହଷ୍ଟେଲର ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା କୁହାଯାଉଛି ।

ପରେ ପରେ ହଷ୍ଟେଲ ଭିତରେ ସେମାନଙ୍କୁ ବନ୍ଦ କରି ରଖିଥିବା ଅଭିଯୋଗ କରିଥିଲେ ଛାତ୍ରୀ । ଦୁଇଟି ହଷ୍ଟେଲ ଛାତ୍ରୀ ବାଡ ଡେଇଁ ବାହାରକୁ ଆସି ନିର୍ବାଚନ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ସେମାନେ ପାଠ ପଢିବାକୁ ଚାହୁଁଛନ୍ତି । କଲେଜକୁ ସାଇନ୍-ଇ-ଡାଏ ଘୋଷଣା ନକରିବାକୁ ମଧ୍ୟ ଦାବି କରୁଛନ୍ତି । ବୋମାମାଡକୁ ନେଇ ବିଜେବି କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବା ବେଳେ ଦୀର୍ଘ ୨ ଘଂଟା ଯାଏଁ କଲେଜ କର୍ତୃପକ୍ଷଙ୍କର ଦେଖା ମିଳି ନଥିଲା । ତେବେ ଶେଷରେ କଲେଜ ଅଧକ୍ଷ ଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ସେମାନେ ହଷ୍ଟେଲ ଭିତରକୁ ଯାଇଥିଲେ ।

ସେପଟେ ଛାତ୍ର ସାଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଛି ଉତ୍କଳ ବିଶ୍ୱ ବିଦ୍ୟାଳୟ । ଗତକାଲି ରାତିରେ ଭିସି ଅଫିସ ଘେରାଓ କରିଥିଲେ ଛାତ୍ର କଂଗ୍ରେସ ଓ ଏବିଭିପି ସଦସ୍ୟ । ବୁଧବାର ଦିନ କ୍ୟାମ୍ପସ ଭିତରେ ଜଣେ ଅଣଛାତ୍ର ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିଲେ । ଆହତ ଛାତ୍ରୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସହିଦନଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ର କଂଗ୍ରେସ ଓ ଏବିଭିପି ସଦସ୍ୟ ଭିସି ଅଫିସ ଘେରାଉ କରିଥିଲେ । ସେହିପରି ଛାତ୍ର ବିଜେଡିର ସଭାପିତ ପ୍ରାର୍ଥୀ ସୌମ୍ୟରଂଜନ ମହାପାତ୍ରଙ୍କୁ ମଧ୍ୟ ଅନ୍ୟ କେତେଜଣ ଅଣଛାତ୍ର ଓ ଛାତ୍ର ବୁଧବାର ଦିନ ଆକ୍ରମଣ କରିଥିଲେ ।