ମାଟ୍ରିକ ରେଜଲ୍ଟ ଶୁଣିବାକୁ ନାହାନ୍ତି ରୁଦ୍ର । ଫଳ ଆସିବା ପୂର୍ବରୁ କୁମ୍ଭୀର ଆଁରେ ଚାଲିଗଲା ଜୀବନ । ସାଇତା ହୋଇଛି ନୂଆ ଜୋତା ଓ ନୂଆ ଡ୍ରେସ୍ । 

354

କନକ ବ୍ୟୁରୋ : ଭଲ ନମ୍ବର ରଖି ମାଟ୍ରିକ ପାସ୍ କରିଛନ୍ତି ରୁଦ୍ର । ହେଲେ ପରୀକ୍ଷା ଫଳ ଦେଖିବାକୁ ଏ ଦୁନିଆରେ ନାହାନ୍ତି ପୁଅ । ଖୁସି ହେବା ବଦଳରେ ଘରେ କାନ୍ଦବୋବାଳି ପଡ଼ିଛି ।  ବାଳ ମୁକୁଳା କରି ଛୋଟ ପିଲାଙ୍କ ପରି ଧୂଳିବାଲିରେ କାନ୍ଦି କାନ୍ଦି ଗଡ଼ିଯାଉଛି ମା’ । ବାୟାଣୀ ପରି ପୁଅ କାହିଁ ପୁଅ କାହିଁ କହି ହାଉଳି ଖାଉଛି । ଅନ୍ୟପଟେ କୁଡ଼ବାଡ଼ିରେ ମୁଣ୍ଡ ବାଡ଼େଇ କାନ୍ଦୁଛି ବାପା । ରୁଦ୍ର ହାତରେ ବାନ୍ଧିବା ପାଇଁ ସାଇତି ରଖିଥିବା ରାକ୍ଷୀକୁ ଦେଖି ବାହୁନି ବାହୁନି କାନ୍ଦୁଛି ଭଉଣୀ ।

ବିଧିର ବିଧାନ କେଡ଼େ ନିଷ୍ଠୁର ଦେଖନ୍ତୁ ମା’ କୋଳରୁ ପୁଅକୁ ଛଡ଼ାଇନେଲେ ଭଗବାନ୍ ।  ପରୀକ୍ଷାଫଳ ବାହାରିବାର ମାତ୍ର ୩ ଦିନ ପୂର୍ବରୁ କୁମ୍ଭୀର ଆଁରେ ଚାଲିଗଲା ଜୀବନ । ଗେହ୍ଲାପୁଅକୁ ହରାଇଥିବା ମା’ବାପାଙ୍କ କରୁଣ କାନ୍ଦଣା ଦେଖିଲେ ହୃଦୟ କୋରି ହୋଇଯାଉଛି ।

ଆଖିରେ ଆଖିଏ ସ୍ୱପ୍ନ । ରୁଦ୍ର ଭବିଷ୍ୟତର ସ୍ୱପ୍ନ ବୁଣୁଥିଲେ । ରେଜଲ୍ଟ ଅପେକ୍ଷାରେ ଆଖିରେ ନିଦ ନଥିଲା । ମାଟ୍ରିକ ପରୀକ୍ଷା ଫଳ ବାହାରିବ । ଭାଇଭଊଣୀ ସାଙ୍ଗ ହୋଇ କଲେଜ ଯିବୁ । ଆଉ ସେଥିପାଇଁ ପଇସା ରଖିଥିଲେ ମିଠା ବାଣ୍ଟିବେ ବୋଲି । କଲେଜ ଯିବା ପାଇଁ ନୂଆ ଡ୍ରେସ୍ ଓ ନୂଆ ଜୋତା କିଣା ହୋଇ ସାଇତି ରଖିଯାଇଛନ୍ତି । ହେଲେ ଏତେ ସବୁ ଖୁସି ସହିଲେନି ଭଗବାନ୍ । ବୁଣା ହୋଇଥିବା ସ୍ୱପ୍ନ ସବୁ ଅଧା ରହିଗଲା ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପରିମୁକୁନ୍ଦପୁର ଗାଁର ପ୍ରଦ୍ୟୁମ୍ନ ବେହେରାଙ୍କ ପୁଅ ରୁଦ୍ରପ୍ରତାପ ବେହେରା । ଗତ ୨୬ ତାରିଖ ଦିନ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିଲେ । ଭାତ ବଢ଼ା ହୋଇ ଥୁଆହୋଇଥିଲା । ଆସିଲେ ଖାଇବି କହି ଗଲା ଯେ, ପୁଅ ଆଉ ଫେରିଲାନି । ମା’ଠାରୁ ପୁଅକୁ ଆଉ ଭଉଣୀ ଠାରୁ ଭାଇକୁ କୁମ୍ଭୀରର ଛଡ଼ାଇନେଲା । କଲେଜ ପଢ଼ା ଅଧାରେ ରହିଲା, ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଭାଇ ଚାଲିଗଲା ।

ଇଟାପଥରର ଅଧା ଗଢ଼ା ଘରୁ ଦେଶସେବା କରିବାର ସ୍ୱପ୍ନ ଦେଖୁଥିଲେ ରୁଦ୍ର । ମାଟ୍ରିକ ପରେ ଡିଫେନ୍ସ ଲାଇନକୁ ଯାଇଥାଆନ୍ତେ । ଦେଶ ପାଇଁ ଜୀବନ ଦେଇଥାଆନ୍ତେ । ମା’ମାଟିର ଟେକ ରଖିଥାଆନ୍ତେ । ହେଲେ ଏସବୁରେ ପୂର୍ଣ୍ଣଛେଦ ପକାଇ ଅଫେରା ଦୁନିଆକୁ ଚାଲିଗଲେ ।

ପାଠପଢ଼ାରେ ଯେମିତି ଖେଳକୁଦରେ ବି ସେମିତି ରୁଦ୍ର । ସାଙ୍ଗସାଥୀ, ବନ୍ଧୁ ପରିଜନ ଓ ଗାଁ ଲୋକେ ତାଙ୍କୁ ବେଶ୍ ଭଲପାଉଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଭିନ୍ନ । ଆଜି ରୁଦ୍ର ଥିଲେ ହୁଏତ ସମସ୍ତଙ୍କୁ ମିଠା ବାଣ୍ଟୁଥାଆନ୍ତେ । ହେଲେ ଏବେ ପରୀକ୍ଷା ଫଳ ଆସିବା ପରେ ଘର ଲୋକ ଉତ୍ସବ ମନାଇବେ କ’ଣ ଦୁଃଖ ଦରିଆରେ ଥଳକୂଳ ପାଉନାହାନ୍ତି ।