୩୦ ଯାଏଁ କଟକଣା ପରେ ରାତି କର୍ଫ୍ୟୁ ବେଳେ ଟ୍ୱିନସିଟିରେ କଡା ଚେକିଂ : ରାତି ବାହାରେ ବୁଲୁଥିବା ଲୋକଙ୍କୁ ଧରି ଫାଇନ କାଟିଲା କମିଶନରେଟ୍ ପୋଲିସ, ନିୟମ ନ ମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

453

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସାରା ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହୋଇଛି । ହେଲେ ଗତ କିଛି ଦିନ ହେଲା ଲୋକେ ନିୟମ ମାନୁନଥିବା ଏବଂ ଅବହେଳା କରୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ କଡାକଡି ହୋଇଛି କଟକଣା । ଗତକାଲି ଭୁବନେଶ୍ୱରର ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣିବିହାର, ରାଜମହଲ ଛକ, ରସୁଲଗଡ ଭଳି ମୁଖ୍ୟ ଛକରେ ପୋଲିସ ଯାଂଚ କରିଛି । ସାହି ଗଳିରେ ବି ପୋଲିସ ପାଟ୍ରୋଲିଂ କରୁଛି ।

ସନ୍ଧ୍ୟା ୭ ପରେ ଦୁଇ ଚକିଆ ଏବଂ ଚାରିଚକିଆ ଗାଡି ଧରି ରାସ୍ତାକୁ ଓହ୍ଲାଇଆସିଥିବା ଲୋକଙ୍କୁ ପଚରାଉଚରା କରୁଛି ପୋଲିସ । କାଗଜପତ୍ର ବି ଯାଂଚ କରାଯାଉଛି । ଆଉ ଜରୁରୀ କାମ ନଥାଇ ବାହାରକୁ ବାହାରିଥିବା ଲୋକଙ୍କୁ ଜରିମାନା କରୁଛି । ଦୋକାନ ବଜାର ସନ୍ଧ୍ୟା ୭ଟାରେ ବନ୍ଦ କରିବାକୁ କୁହାଯାଇଥିବା ବେଳେ ଘରୁ ନବାହାରିବାକୁ କଡା ନିର୍ଦ୍ଦେଶ ରହିଛି । ତେବେ ଲୋକେ ବିଳମ୍ବିତ ରାତି ଯାଏ ବାହାରେ ବୁଲୁଥିବା ଦେଖାଦେଇଛି । ଆଉ ପୋଲିସ ସେଭଳି କିଛି ଲୋକଙ୍କୁ ଧରି ଜରିମାନା ଆଦାୟ କରିଛି ।

ସେପଟେ କଟକରେ ବି ସମାନ ସ୍ଥିତି । ନିୟମ ଉଲ୍ଲଂଘନ କରି ରାତିରେ ଘରୁ ବାହାରିଛନ୍ତି ଶହ ଶହ ଲୋକ । ଗାଡି ମୋଟର ଧରି ମନଇଛା ବୁଲିଛନ୍ତି । ପୋଲିସର ଢିଲା ଚେକିଂର ସୁୁଯୋଗ ନେଇ କିଏ ବାଇକରେ ବୁଲୁଛି ତ ଆଉ କିଏ କାର ନେଇ ଯାଉଛି । ଜରୁରୀ କାମ ନଥାଇ ଘରୁ ବାହାରିଥିବା ଲୋକଙ୍କୁ ଧରି ଫାଇନ କାଟୁଛି କମିଶନରେଟ୍ ପୋଲିସ ।