୧୭ରେ ଓଡ଼ିଶାରେ ଝଡ଼ବର୍ଷା ! ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

1,154

କନକ ବ୍ୟୁରୋ : ମାର୍ଚ୍ଚ ୧୭ରେ ଓଡ଼ିଶାରେ ଝଡ଼ବର୍ଷା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ । ଉତ୍ତର ଓଡ଼ିଶାରେ କିନ୍ତୁ ପ୍ରବଳ ବର୍ଷା ଲାଗିରହିବ । ଏହାକୁ ଦୃଷ୍ଟିରେ ରଖି ୧୭ ତାରିଖ ପାଇଁ ରାଜ୍ୟରେ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଯଥା କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ଖୋର୍ଧାରେ କାଳବୈଶାଖୀ ପ୍ରଭାବ ରହିବ । ଉକ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ଘନଘନ ବଜ୍ରପାତ ହେବ । ୧୬ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ବାଲେଶ୍ବର, ଭଦ୍ରକ, ଖୋର୍ଧା, ନୟାଗଡ଼ ସମେତ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ୧୭ ତାରିଖ ସକାଳୁ ସାରା ରାଜ୍ୟରେ କୋହଲା ପାଗ ଲାଗିରହିବ ।

ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ । ହେଲେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଯାହାକି ୧୮ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗିରହିବ ।

ଅନ୍ୟପକ୍ଷରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି । ଏଥିସହ ମାଲକାନଗିରିରେ ୩୮.୫, ଭବାନୀପାଟଣା, ବଲାଙ୍ଗୀର, ସୋନପୁରରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି । ଭୁବନେଶ୍ବରର ତାପମାତ୍ରା ୩୬.୭ ଡିଗ୍ରି ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଚନ୍ଦବାଲି, ଅନୁଗୁଳ, କେନ୍ଦୁଝର, ଦାରିଙ୍ଗବାଡ଼ିରେ ହାଲକା ବର୍ଷା ହୋଇଛି ।