ଆପଣଙ୍କର ମଧ୍ୟ ନଖ କାମୁଡ଼ିବା ପରି ବଦଭ୍ୟାସ ଅଛି କି ? ଜାଣନ୍ତୁ ଏଥିରୁ କିପରି ଦୂରେଇ ରହିବେ ?

39

ଛୋଟ ପିଲା ହୁଅନ୍ତୁ ବା ବଡ, ଅନେକଙ୍କର ନଖ କାମୁଡ଼ିବାର ଅଭ୍ୟାସ ରହିଥାଏ । କଥା କଥାରେ କେତେବେଳେ ହାତର ନଖ ଯାଇ ପାଟିରେ ପହଞ୍ଚିଯାଏ ତାହା ଜଣାପଡ଼େ ନାହିଁ । ନଖ କାମୁଡ଼ିବା ଏକ ବଂଶଗତ ରୋଗ କି ନାହିଁ ତାହା ବୈଜ୍ଞାନିକମାନେ ଖୋଜି ପାଇ ନଥିଲେ ମଧ୍ୟ ଯେଉଁ ମାତା-ପିତାମାନେ ନଖ କାମୁଡ଼ିଥାନ୍ତି ସେମାନଙ୍କ ପିଲାମାନେ ମଧ୍ୟ ନଖ ଖାଆନ୍ତି ବୋଲି ପ୍ରାୟତଃ ଦେଖା ଯାଇଥାଏ ।

ବେଳେବେଳେ ମାନସିକ ଅବସ୍ଥା ଠିକ୍‌ ନଥିଲେ ବା ମଣିଷ ଚିନ୍ତାଗ୍ରସ୍ତ ଥିଲେ ନଖ ଖାଉଥିବାର ଦେଖା ଯାଇଥାଏ । ଏକା ଥିବା ସମୟରେ ବା କିଛି କାମ ନ ଥିବା ବେଳେ ଲୋକମାନେ ନଖ ଖାଇଥାନ୍ତି । କିଛି ଲୋକ ନିଜ ଅଜଣାତରେ ନଖ ଖାଇଥାନ୍ତି ଏବଂ ତାହା ସେମାନେ ଜାଣି ବି ପାରନ୍ତି ନାହିଁ । ଆପଣଙ୍କ ସହ ମଧ୍ୟ ଏପରି ହେଉଥିବ । ଅନିଚ୍ଛା ସତ୍ୱେ ମଧ୍ୟ ଆପଣ ଏହା କରୁଥିବେ । ତେବେ ଯଦି ଆପଣଙ୍କ ଏହି ସମସ୍ୟା ରହିଛି ତେବେ ଏହି ଅଭ୍ୟାସକୁ କିପରି ଦୂର କରିବେ ତାହା ଜାଣି ନିଅନ୍ତୁ । ପ୍ରଥମେ ନଖ କାମୁଡ଼ିବା ଦ୍ୱାରା କ’ଣ କ’ଣ ଅସୁବିଧା ହୋଇଥାଏ ଜାଣନ୍ତୁ।

୧.ଯଦି ଆପଣ ପ୍ରତି ଦିନ ନଖ କାମୁଡ଼ୁଛନ୍ତି ତେବେ ନଖ ଚାରି ପାଖରେ ଥିବା ଟିସୁ ଗୁଡ଼ିକ ନଷ୍ଟ ହେବା ସହ ନଖର ଆକାର ଠିକ୍‌ ରହେ ନାହିଁ ।

୨.ବାରମ୍ବାର ନଖ କାମୁଡ଼ିଲେ ଦାନ୍ତର ମାଢ଼ିରେ ଅସୁବିଧା ଦେଖା ଯାଇଥାଏ ।

୩. ହାତରେ ସାଧାରଣତଃ ଭାବରେ ଅନେକ ଜୀବାଣୁ ଲାଗି ରହିଥାଏ, ବିଶେଷ କରି ନଖରେ । ଯଦି ଆପଣ ସେହି ଜୀବାଣୁ ଥିବା ନଖକୁ ଖାଉଛନ୍ତି, ତେବେ ତାହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିବା ସହ ଚର୍ମକୁ ଖରାପ କରିଥାଏ ।

ତେବେ ଏହି ସବୁ ଅସୁବିଧାରୁ ନିଜକୁ ଦୂରରେ ରଖିବା ପାଇଁ ହେଲେ ଆପଣଙ୍କୁ କିଛିଟା ଟିପ୍ସକୁ ଆପଣେଇବାକୁ ପଡ଼ିବ । ଏହି ଟିପ୍ସକୁ ଆପଣେଇ ଆପଣ ଗୋଟେ ରାତି ମଧ୍ୟରେ ଏହି ଅଭ୍ୟାସକୁ ଦୂର ନ କରି ପାରିଲେ ମଧ୍ୟ କିଛି ଦିନ ପରେ ଫରକ ଆପଣ ଜାଣି ପାରିବେ । ଟିପ୍ସ ଗୁଡ଼ିକ କ’ଣ ଜାଣି ରଖନ୍ତୁ-

୧.ନଖକୁ ସବୁବେଳେ ଛୋଟ ଛୋଟ କାଟି କରି ରଖନ୍ତୁ । ନଖ ନ ଥିଲେ ଆପେ ଆପେ ନଖ କାମୁଡ଼ା ବନ୍ଦ ହୋଇଯିବ ।

୨.ବଜାରରେ ପିତା ଲାଗୁଥିବା ନେଲ୍‌ ପଲିସ ମିଳିଲାଣି । ତାକୁ ନିଜ ନଖରେ ଲଗାଇଲେ ନଖ ପାଟିକୁ ନେବା ପୂର୍ବରୁ ଆପଣ ଦୁଇ ଥର ଭାବିବେ ।
୩. ନଖ ଏବଂ ପାଟିକୁ ସବୁବେଳେ ବ୍ୟସ୍ତ ରଖନ୍ତୁ । ଷ୍ଟ୍ରେସ୍‌ ବଲ ବା ଟିପ୍‌ ଟପ୍‌ ପେନ ବ୍ୟବହାର କରନ୍ତୁ । ଯାହାଦ୍ୱାରା ଆପଣଙ୍କ ହାତ ବ୍ୟସ୍ତ ରହିବା ସହ ପାଟିକୁ ଯିବ ନାହିଁ ।