କନକ ବ୍ୟୁରୋ : ପାଖେଇ ଆସୁଛି ଗଣେଶ ପୂଜା । ଗଜାନନଙ୍କ ପୂଜାରୁ ହିଁ ବର୍ଷର ପୂଜା ପର୍ବାଣ ଆରମ୍ଭ ହୁଏ । ହେଲେ ଏ ବର୍ଷ ସଂକ୍ରମଣ ଭୟରେ ପାର୍ବଣ ଋତୁରେ ସାମୂହିକ ପୂଜା ନକରିବାକୁ ସରକାରଙ୍କ ନିର୍ଦେଶ ରହିଛି । ଜୀବନ ବଂଚାଇବା ପାଇଁ ସରକାର ପୂଜା ଉପରେ କଟକଣା ଲାଗିଇଛନ୍ତି । ହେଲେ ଏହି କଟକଣା ଲାଗିବା ପରେ ମୂର୍ତ୍ତି ବିକ୍ରିକୁ ନେଇ ଚିନ୍ତାରେ ପଡିଛନ୍ତି କାରିଗର ।
ଦିନ କେଇଟା ପରେ ଗଣେଶ ପୂଜା । କୁହାଯଏ, ଅଗ୍ରପୂଜ୍ୟଙ୍କ ପୂଜାରୁ ପାର୍ବଣର ଆରମ୍ଭ ହୁଏ । ଆଉ ଏହି ପାର୍ବଣ ଋତୁରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ବେଶ ଦୁଇ ପଇସା ରୋଜଗାର କରନ୍ତି ମୂର୍ତି କାରିଗର । ହେଲେ ଚଳିତ ବର୍ଷ କାରିଗରଙ୍କ ପେଟକୁ ଲାତ ମାରିଛି ମହାମାରୀ କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏବର୍ଷ ସାମୁହିକ ପୂଜା ଉପରେ କଟକଣା ଲଗାଇଛନ୍ତି ସରକାର । ଜୀବନ ବଂଚାଇବା ପାଇଁ ସରକାର କଟକଣା ଲଗାଇବା ପରେ ଜୀବିକା ହରାଇ ଚିନ୍ତାରେ ପଡିଛନ୍ତି ମୂର୍ତି କାରିଗର ।
ସାମୁହିକ ପୂଜା ହେବ ନାହିଁ ସରକାର ଘୋଷଣା କରିଛନ୍ତି,ତଥାପି ମୂର୍ତି କାରିଗରଙ୍କ ମନ ମାନୁନି । ଗଜାନନଙ୍କ ମୂର୍ତି ତିଆରି କରିଛନ୍ତି କଳାହାଣ୍ଡି ଧର୍ମଗଡ ଅଂଚଳର ୨ଶହରୁ ଅଧିକ ମୂର୍ତି କାରିଗର । ଏଠିକାର କାରିଗର ପାର୍ବଣ ଋତୁରେ ଗଣେଶ, ବିଶ୍ୱକର୍ମା, ଦୁର୍ଗା, ଗଜଲକ୍ଷ୍ମୀ ମୂର୍ତି ତିଆରି କରି ବର୍ଷକ ପାଇଁ ଆହାର ଯୋଗାଡ କରିଥାନ୍ତି । ଏ ବର୍ଷ କରୋନା ଯୋଗୁଁ ଯଦି ପୂଜା ନହୁଏ, ତେବେ ମୂର୍ତି ବିକ୍ରି ହେବ ନାହିଁ । ଏମିତି ହେଲେ କାରିଗରଙ୍କ ରୋଜଗାର ଠପ୍ ହୋଇଯିବା ଆଶଙ୍କା ରହିଛି ।