କନକ ବ୍ୟୁରୋ : ପୁଣି ସେହି ଅକ୍ଟୋବର ମାସର ଶେଷ ସପ୍ତାହ, ପୁଣି ଘାରିଛି ବାତ୍ୟା ଭୟ । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’ । ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ, ବଂଗୋପସାଗରରେ ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ୁଥିବା ଲଘୁଚାପ ଆସନ୍ତାକାଲି ନେବ ଅବପାତର ରୂପ । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା । ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଂଗୋପସାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସମାନ ଆକଳନ କରିଛନ୍ତି ।
କିଏ ଦେଲା ବାତ୍ୟାର ନାଁ ‘ମନ୍ଥା’? କେମିତି କରାଯାଏ ସାଇକ୍ଲୋନର ନାମକରଣ?
ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୬ରୁ ୨୯ପର୍ଯ୍ୟନ୍ତ ବଡ଼ ବର୍ଷା ହୋଇପାରେ । ୨୬ ତାରିଖରେ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ୨୭ରେ ରାୟଗଡ଼ା, ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ । ୨୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୯ରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ତେବି ଏନେଇ ତଳି ଅଞ୍ଚଳ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ତଳି ଅଞ୍ଚଳରେ ପାଣି ପଶିବା ଭୟରେ ଏବେଠୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।
ସେପଟେ, ସମ୍ଭାବ୍ୟ ବାତ୍ୟାକୁ ନେଇ ଜଳସଂପଦ ବିଭାଗର ପ୍ରସ୍ତୁତି ବୈଠକ ବସିସାରିଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଆଖିରେ ରଖି ରାଜ୍ୟ ଜଳ ସଂପଦ ବିଭାଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିସନର ତଥା ମୁଖ୍ୟ ଶାସନ ସଚିବ ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟର ବିଭିନ୍ନ ଅବବାହିକାରେ ଥିବା ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସ୍ଥିତିକୁ ଦେଖି ବିଭାଗ ତଥା କ୍ଷେତ୍ରସ୍ତରରେ ଥିବା ସମସ୍ତ ଅଧିକାରୀ ଓ ଯନ୍ତ୍ରିମାନଙ୍କ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସ୍ତୁତି ବୈଠକରେ ଜଳ ସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭାଗର ଉଚ୍ଚଅଧିକାରୀ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/25/1-2025-10-25-07-34-29.jpg)