ରଜର ଦୁଇ ଦିନ ପୂର୍ବରୁ ଓଡିଶାବାସୀଙ୍କୁ ସତର୍କ କଲେ ରାଜ୍ୟ ସରକାର : ବାଗଚୀ କହିଲେ, ଜୀବନ ଥିଲେ ବାରମ୍ବାର ଆସିବ ରଜ । ସେପଟେ ଭୁବନେଶ୍ୱରରେ ଭିଡ଼ ଲାଗିଥିବା ସୋରୁମକୁ ସିଲ କଲା ବିଏମସି

650

କନକ ବ୍ୟୁରୋ : ଆସୁଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ଦୁଇ ଦିନ ପରେ ଅର୍ଥାତ ରବିବାର ଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ ଦେବାକୁ ଆଜି ସ୍ୱତନ୍ତ୍ର ଭାବେ ସରକାରଙ୍କ ତରଫରୁ ପ୍ରେସମିଟ୍ ଡକାଯାଇଥିଲା । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପାଳନ ନେଇ କଟକଣା ଲଗାଇଛି ପ୍ରଶାସନ । ଏପଟେ ଭୁବନେଶ୍ୱରରେ ଭିଡକୁ ଦେଖି ଶୁକ୍ରବାର ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରିବାକୁ ପ୍ରଶାସନ ନିଷ୍ପତି ନେଇଛି ।

ଦୁଇ ଦିନ ପରେ ଓଡ଼ିଶାର ଗଣପର୍ବ ରଜ ପାଳନ ହେବାକୁ ଯାଉଥିବା ବେଳେ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ପ୍ରେସମିଟ୍ କରି ସାରା ରାଜ୍ୟକୁ ସତର୍କ କରି ଦେଇଛନ୍ତି । ରଜ ପାଇଁ କିପରି ବଜାରରେ ଭିଡ଼ ଲାଗିଛି, ଏହି ଭିଡ କେତେ ବିପଦ ଆଣିପାରେ ଏହାକୁ ବୁଝାଇବା ସହ କେମିତି ରଜ ପାଳିବେ ଓ କରୋନା ଠାରୁ ଦୂରେଇ ରହିବେ, ସେ ବିଷୟରେ କହିଛନ୍ତି ବାଗଚୀ ।

ଏପଟେ ରଜ ପାଇଁ ରାଜଧାନୀ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱରର କିଛି ସୋ’ ରୁମରେ କୋଭିଡ ନିୟମର ଉଂଲଘନ କରାଯାଇ ସାମାଜିକ ଦୂରତା ରକ୍ଷା କରା ଯାଉନଥିବା ଦେଖିବାକୁ ମିଳିଛି । ଭିଡକୁ ଦେଖି ରାଜଧାନୀର କିଛି ସୋ’ରୁମକୁ ସିଲ କରିଛି ବିଏମସି । ମାଷ୍ଟର କ୍ୟାଂଟିନରେ ଥିବା ଅମ୍ବର ସୋ’ରୁମକୁ ସିଲ କରାଯାଇଛି ।

ରବି ଟକିଜ ନିକଟରେ ଥିବା ଭାଇ ଭାଇ ଟିଫିନ୍ ସେଂଟରକୁ ମଧ୍ୟ ବନ୍ଦ କରି ଦିଆଯାଇଛି । କୋଭିଡ ନିୟମକୁ ଉଲଂଘନ କରି ଏଠାରେ ଜଳଖିଆ ବିକ୍ରି କରାଯାଉଥିଲା । ସେହିପରି ଏକାମ୍ର ରୋଡରେ ଥିବା ଓମଫେଡ ସପ୍କୁ ମଧ୍ୟ ସିଲ୍ କରାଯାଇଛି ।

ରଜ ପାଳନ ପାଇଁ ଅଧିକ ଜନ ସମାଗମ ହେବାକୁ ଥିବାରୁ କଟକଣା ଲଗାଇଛି ପ୍ରଶାସନ । ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ଏଠାରେ ରଜ ଉତ୍ସବ ପାଳନ କରାଯାଏ । ଜନ ସମାଗମକୁ ଆଡେଇ ଯିବା ପାଇଁ ୭ ଦିନ ପର୍ଯ୍ୟନ୍ତ ଏହି ଦୁଇ ପୀଠରେ ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ।

ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲାପ୍ରଶାସନ । ଆସନ୍ତା ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ କେଉଁଝରରେ କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଅନେକ କଟକଣା ଭିତରେ ଶୁକ୍ରବାର ରାତି କର୍ଫ୍ୟୁରେ ଆଂଶିକ କୋହଳ କରିଛନ୍ତି ରାଜ୍ୟ ସରକାର । ରଜ ପର୍ବକୁ ଦୃଷ୍ଟିରେ ରଖି ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଅର୍ଥାତ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ । ତେଣୁ ଶୁକ୍ରବାର ରାତି କର୍ଫ୍ୟୁକୁ ୩ ଘଂଟା କୋହଳ କରିବାକୁ ନିଷ୍ପତି ନିଆଯାଇଛି ।