ଆଶଙ୍କା ଭିତରେ ଓପେପା ଅଧୀନରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଭବିଷ୍ୟତ ! ଅନ୍ୟ ବିଭାଗ ସଜାଡ଼ିବେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି

ଆଶଙ୍କା ଭିତରେ ଓପେପା ଅଧୀନରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଭବିଷ୍ୟତ ! ଅନ୍ୟ ବିଭାଗ ସଜାଡ଼ିବେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି

କନକ ବ୍ୟୁରୋ : କୁଆଡ଼େ ଯିବେ ଓପେପା ଅଧିନରେ କାମ କରୁଥିବା ଯନ୍ତ୍ରୀ । କ’ଣ ହେବ ତାଙ୍କର ଭବିଷ୍ୟତ । କାରଣ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ରକ୍ଷଣାବେକ୍ଷଣ ଓ ମରାମତି କାର‌୍ୟ୍ୟ ରାଜ୍ୟ ସରକାର ଅନ୍ୟ ବିଭାଗକୁ ଦେବେ ବୋଲି ସୂଚନା ମିଳିଛି। ୧୫ ବର୍ଷ ଧରି ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଆସୁଥିବା ଅନୁଦାନ ରାଶି ଓପେପା ଅଧୀନରେ କାର‌୍ୟ୍ୟରତ ଯନ୍ତ୍ରୀଙ୍କ ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା କାର‌୍ୟ୍ୟକାରୀ କରାଯାଉଛି। ଇତି ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଶ୍ରେଣୀଗୃହ, ମଧ୍ୟାହ୍ନଭୋଜନ ରୋଷେଇ ଗୃହ ନିର୍ମାଣ ଓ ମରାମତି କାର‌୍ୟ୍ୟରେ ଏହି ଯନ୍ତ୍ରୀମାନଙ୍କ ଜ୍ଞାନକୌଶଳ ବିନିଯୋଗ କରାଯାଉଛି। ସ୍ୱଚ୍ଛ ବିଦ୍ୟାଳୟ କାର‌୍ୟ୍ୟକ୍ରମରେ ପ୍ରାୟ ୪୦ ହଜାର ଶୌଚାଳୟ କାର‌୍ୟ୍ୟ ମଧ୍ୟ ଏହି ଯନ୍ତ୍ରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ପ୍ରାକୃତିକ ବିପର‌୍ୟ୍ୟୟ, ସାଧାରଣ ନିର୍ବାଚନ ସମୟରେ ଏହି ଯନ୍ତ୍ରୀମାନେ ନିୟୋଜିତ ହୋଇଥାନ୍ତି। ହେଲେ ଏବେ ସେମାନଙ୍କୁ ଅଣଦେଖା କରାଯାଇଛି।

ବର୍ତ୍ତମାନ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି, ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ, ନଗର ଉନ୍ନୟନ, ଗୃହ ବିଭାଗ ଦ୍ୱାରା ହେବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ଗତ ଜୁନ୍ ୨୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣ କାର‌୍ୟ୍ୟକ୍ରମ(ଓପେପା) ଅଧୀନରେ କାର‌୍ୟ୍ୟରତ ଯନ୍ତ୍ରୀଙ୍କ ଭବିଷ୍ୟତ ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟ ପାଇଁ ପ୍ରତି ଜିଲ୍ଲାସ୍ତରରେ ବରିଷ୍ଠ ଟେକ୍ନିକାଲ କନ୍ସଲ୍ଟାନ୍ସ ନିୟୋଜିତ ହୋଇଥିଲେ । ମୋଟ ୩୩ ଜଣ ଯନ୍ତ୍ରୀ ନିୟୋଜିତ ହେବାକୁ ଥିବା ବେଳେ ଏବେ ୩୨ ରହିଛନ୍ତି । ସେହିପରି ବ୍ଲକଗୁଡ଼ିକ ପାଇଁ ୩୨୦ ଜଣ ରହିବା କଥା । ଏବେ ୨୮୩ ଜଣ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି । ୧୫ ବର୍ଷ ଧରି ଏମାନେ କାର୍ଯ୍ୟ କରୁଥିଲା ବେଳେ ବର୍ତମାନ ସମୟରେ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି କରିଛି । ଏପରିକି ୩୧୫ ଯନ୍ତ୍ରୀଙ୍କ ଦକ୍ଷତାକୁ ବିଚାର କରି ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଏମାନଙ୍କୁ ନିୟୋଜିତ କରିବାକୁ ବିଧାୟକ, ସାଂସଦ, ବିଭିନ୍ନ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷମାନେ ସରକାରଙ୍କୁ ଚିଠି ଲେଖିଛନ୍ତି ।

ଯନ୍ତ୍ରୀମାନେ କହିଛନ୍ତି ଯେ ସର୍ବଶିକ୍ଷା ଅଭିଯାନ ରାଷ୍ଟ୍ରୀୟ ଶିକ୍ଷା ଅଭିଯାନକୁ ଏକାଠି କରି ଏବେ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ।ମୋ ସ୍କୁଲକାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଉନ୍ନତି ଦିଗରେ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟରେ ତାଲିମପ୍ରାପ୍ତ ଯନ୍ତ୍ରୀଙ୍କ ଜ୍ଞାନକୌଶଳ ବ୍ୟବହାର କରି ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯାଉ । ମୁଖ୍ୟମନ୍ତ୍ରୀ ଓପେପାର ସଭାପତି ଥିବାରୁ ଯନ୍ତ୍ରୀମାନଙ୍କ ଭବିଷ୍ୟତ ଚିନ୍ତା କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଏଥିସହ ଗଣଶିକ୍ଷା ମନ୍ତ୍ରୀ, ସଚିବ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଯନ୍ତ୍ରୀମାନେ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe