ଏବେ ଖୋଲିବନି ମଦ ଦୋକାନ : ଖୁବଶୀଘ୍ର ଅବକାରୀ ବିଭାଗ ପକ୍ଷରୁ ଜାରି ହେବ ନିର୍ଦ୍ଦେଶନାମା, ଦିନେ ଦୁଇ ଦିନ ଭିତରେ ନିଆଯିବ ନିଷ୍ପତ୍ତି

739

କନକ ବ୍ୟୁରୋ : ରାଜ୍ୟରେ ଏବେ ଖୋଲିବ ନାହିଁ ମଦ ଦୋକାନ । କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ । ବାହା ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଖୁବ ଶୀଘ୍ର ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ହେବ । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦିନେ ଦୁଇ ଦିନ ଭିତରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ଭଳି ଏକ ମାରାତ୍ମକ ମହାମାରୀ ପାଇଁ ଲକଡାଉନ ଜାରି ରହିଛି । ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଏହି ଅନୁମତି ପାଇବା ମାତ୍ରେ ସାରା ଦେଶର ଚିତ୍ର ଦେଖିଲେ ସ୍ଥିତି ଅସମ୍ଭାଳ ମନେ ହେଉଛି ।

ତେବେ ଓଡିଶାର ଗ୍ରୀନ ଜୋନରେ ଅନେକ ସ୍ଥାନରେ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି । ସୋମବାର ସକାଳୁ ପୁରୀରେ ମଦ ଦୋକାନ ଖୋଲିଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଁଚି ଦୋକାନ ବନ୍ଦ କରାଇଥିଲେ । ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଥିଲେ ମଧ୍ୟ ଓଡିଶାର ସ୍ଥାନୀୟ ପ୍ରଶାସନ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି । ମୟୂରଭଞ୍ଜ ଓ ବ୍ରହ୍ମପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇ ନାହିଁ । କଟକରେ ମଧ୍ୟ ମଦ ଦୋକାନ ବନ୍ଦ ଥିବା ଜଣାପଡିଛି ।