ଶ୍ରମିକଙ୍କୁ ଡାକୁଛନ୍ତି ଶିଳ୍ପସଂସ୍ଥା । ତାଲାବନ୍ଦ ପରେ କାରଖାନାରେ ଉତ୍ପାଦନ ସ୍ୱାଭାବିକ କରିବାକୁ  ବଡ ସମସ୍ୟା ହେଲାଣି ମାନବ ସମ୍ବଳ । ବିମାନଟିକଟ, ଖାଦ୍ୟ ଓ ରହଣୀ ପାଇଁ ଦେଉଛନ୍ତି ପ୍ରତିଶ୍ରୃତି

431

କନକ ବ୍ୟୁରୋ : ଦେଶରେ ଅନଲକ ପ୍ରକ୍ରିୟା ଚାଲୁରହିଥିବାବେଳେ ବିଭିନ୍ନ ସ୍ଥାନରେ  କଳକାରଖାନାଗୁଡିକ ଖୋଲିବା ଆରମ୍ଭ ହୋଇଛି  । କିନ୍ତୁ କାରଖାନାରେ ଉତ୍ପାଦନକୁ  ସ୍ୱାଭାବିକ କରିବାରେ  ମାନବ ସମ୍ବଳ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି ।  ଲାକଡାଉନ ଘୋଷଣା ପରେ  ଶ୍ରମିକ ନିଜ ଘରକୁ ଫେରିଯାଇଛନ୍ତି ।  ସେମାନଙ୍କୁ ପୁଣି ଥରେ ଫେରାଇ ଆଣିବାକୁ  କିଛି ଶିଳ୍ପସଂସ୍ଥା ଉଦ୍ୟମ ଆରମ୍ଭ କରିଛନ୍ତି ।   ପ୍ରବାସୀ ଶ୍ରମିକଙ୍କୁ ମାଗଣା ବିମାନ ଟିକେଟ,  ଖାଦ୍ୟ ଓ ରହଣୀ ସୁବିଧା  ଦେବା ଲାଗି ପ୍ରତିଶ୍ରୃତି ଦେଉଛନ୍ତି ।  କିଛି ସଂସ୍ଥା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି  ଲୋଭନୀୟ ଅଫର ବି ଦେଉଛନ୍ତି ।

ଆଉ କିଛି କମ୍ପାନୀ କାରଖାନା ଆଖପାଖ ଗାଁରୁ ଶ୍ରମିକ  ଖୋଜିବା  ଆରମ୍ଭ କରିଛନ୍ତି ।  ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକ ଘରକୁ ଚାଲିଯାଇଛନ୍ତି । ଶିଳ୍ପସଂସ୍ଥାରେ କାମ କରିବାକୁ ଶ୍ରମିକ ନାହାନ୍ତି ।  ଆସନ୍ତା ନଭେମ୍ବର ଯାଏଁ  ଲୋକଙ୍କୁ ସରକାର ମାଗଣାରେ ଖାଦ୍ୟଶସ୍ୟ ଦେବାକୁ ଘୋଷଣା କରିଥିବାରୁ ଏହା ଶିଳ୍ପସଂସ୍ଥାଗୁଡିକ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ।  ତେଣୁ ଏହି ଶ୍ରମିକଙ୍କୁ ସହର ଫେରାଇ ଆଣିବାକୁ  ଶିଳ୍ପସଂସ୍ଥାଗୁଡିକ  ଲୋଭନୀୟ ଅଫର ଦେଉଛନ୍ତି ।  ବିମାନ ଟିକେଟ ସହ ଅଧିକ ପାରିଶ୍ରମିକ, ରହିବା ଓ ଖାଇବା ସୁବିଧା  ଦେବା ଲାଗି  ପ୍ରତିଶ୍ରୃତି ଦିଆଯାଉଛି ।