ଖୋଲାଖୋଲି ବଜାରରେ ବିକ୍ରି ହେଉଛି ମହାପ୍ରଭୁଙ୍କ ଗୁପ୍ତ ନୀତି, ଭୋଗ ପ୍ରସ୍ତୁତି, ସେବାପୂଜା : ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ପରେ ବିବାଦ ଆରମ୍ଭ

322

କନକ ବ୍ୟୁରୋ : ଟଙ୍କା ଦେଲେ ମହାପ୍ରଭୁଙ୍କ ଅବିକଳ ବେଶ ‌ହୋଇପାରୁଛି । ଏମିତିକି ଛପନ ଭୋଗ, ପୂଜା ନୀତି ବି । ଖାଲି ସେତିକି ନୁହେଁ, ଠାକୁରଙ୍କର ଗୁପ୍ତ ନୀତି; ଯାହାକୁ ନେଇ କାହିଁ କେଉଁ କାଳରୁ ଭକ୍ତ ମଧ୍ୟରେ ରହିଛି ପ୍ରବଳ ଉତ୍ସୁକତା, ତାହା ମଧ୍ୟ ଟଙ୍କା ବଦଳରେ ସହଜରେ ଉପଲବ୍ଧ ହେଉଛି । ଗୋଟିଏ ପଟେ ଅନ୍‌ଲାଇନ୍‌ରେ ଅବଢା ବିକ୍ରିକୁ ବିରୋଧ କରାଯାଉଛି । ସେପଟେ ମହାପ୍ରଭୁଙ୍କ ସମସ୍ତ ଗୁପ୍ତ ନୀତି, ‌ସେବାପୂଜା, ଭୋଗ ପ୍ରସ୍ତୁତିକୁ ଖୋଲାଖୋଲି ବଜାରରେ ବିକ୍ରି କରାଯାଉଛି ।

ଗତକାଲି ଶ୍ରୀମନ୍ଦିରର କିଛି ସିଂହାରୀ ସେବକ ଓ ପୂଜାପଣ୍ଡା ସେବକ ପୁରୀ ବାହାରେ ଏକ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଅବିକଳ ପୂଜା ନୀତି ଓ ଭୋଗ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ବିବାଦ ମୁଣ୍ଡ ଟେକିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଜଣେ ବଙ୍ଗାଳୀ ଭକ୍ତଙ୍କ ଦ୍ବାରା ପରିଚାଳିତ ମନ୍ଦିରରେ ଏହି ପୂଜା କରାଯାଇଥିବା ଜଣାପଡିଛି । ତେବେ ମୋଟା ଅଙ୍କର ଦକ୍ଷିଣା ବଦଳରେ ମହାପ୍ରଭୁଙ୍କ ‌ଅବିକଳ ସେବା ପୂଜା କରିବାକୁ ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି । ଶ୍ରୀମନ୍ଦିରରେ ଦୈନନ୍ଦିନ ମହାପ୍ରଭୁଙ୍କ ସେବା ପୂଜା କରୁଥିବା ସେବକମାନେ ବାହାରେ ଯାଇ ଏଭଳି ପୂଜା କରିବା ଘଟଣାକୁ ନେଇ ପୁରୀରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପ୍ରତିଦିନ ଶ୍ରୀମନ୍ଦିର‌ରେ ମହାପ୍ରଭୁଙ୍କ ‌ସେବା ପୂଜା କରିଥା‌ନ୍ତି ପୂଜାପଣ୍ଡା ସେବକ ଓ ସିଂହାରୀ ସେବକ । ଭାଇରାଲ୍‌ ଭିଡିଓରେ ଅବକାଶ ଓ ତର୍ପଣ ସାଙ୍ଗକୁ ଅବିକଳ ପାତ୍ର, ଭୋଗ ସବୁ ରଖାଯାଇଛି । ମନ୍ତ୍ର ବି ଉଚ୍ଚାରଣ ହେଉଛି । ତେବେ ମହାପ୍ରଭୁଙ୍କ ‌ସେବା ପୂଜାର ଏଭଳି ଅବିକଳ ନକଲ ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ ମତ ଦେଇଛନ୍ତି । ଶ୍ରୀମନ୍ଦିରରେ ଜଣାଶୁଣା ପୂଜାପଣ୍ଡା ଓ ମହାପ୍ରଭୁଙ୍କ ଅବକାଶ କରୁଥିବା ସିଂହାରୀ ‌ସେବକଙ୍କୁ ଏ ପୂଜାରେ ସଂପୃକ୍ତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିରରେ ରନ୍ଧାଯାଇଥିବା ଭୋଗ ମଧ୍ୟ ଶ୍ରୀମନ୍ଦିର ଶୈଳୀରେ ପ୍ରସ୍ତୁତ ହୋଇଛି । ମହାପ୍ରଭୁଙ୍କ ସେବା, ପୂଜାର ଏକ ସ୍ବତନ୍ତ୍ରତା ରହିଛି । ହଜାର ହଜାର ବର୍ଷ ଧରି ଏହା ଗୁପ୍ତ ରହିଛି । ଏହାକୁ ଏତେ ଶସ୍ତ‌ା ନକରିବାକୁ ଅନେକ ମତ ରଖିଛନ୍ତି ।

Comments are closed.