ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଟଙ୍କା : ଇ ଟ୍ରାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ୩୯୭ କୋଟି ଟଙ୍କା ଫେରିଲା

225

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା । ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରମୁଙ୍କ ଟଙ୍କା ବୁଡ଼ିକ କି ଫେରିବ ତାକୁ ନେଇ ଉପୁଜିଥିବା ସମସ୍ତ ସନ୍ଦେହର ଅନ୍ତ ଘଟିଛି । ଇ ଟାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ୩୯୭ କୋଟି ଟଙ୍କା ଫେରିଲା ।  ୩୮୯ କୋଟି ଟଙ୍କା ସହିତ ୮ କୋଟି ୨୩ ଲକ୍ଷ ୨୭ ହଜାର ୬ ଶହ ୩୬ ଟଙ୍କାର ସୁଧ ମିଶି ୩୯୭ କୋଟି ଆସିଛି । ଜଗନ୍ନାଥ ଟେମ୍ପଲ କର୍ପସ ଫଣ୍ଡରେ ଏହି ସୁଧ ଓ ମୂଳ ଟଙ୍କା ଜମା ହୋଇଛି । ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଯୋଗେ ଜଣାଇ ଦେଇଛି ୟେସ୍ ବ୍ୟାଙ୍କ । ବାକି ୧୫୬ କୋଟି ଟଙ୍କା ଦ୍ୱିତୀୟ କିସ୍ତିରେ ମିଳିବ ବୋଲି ସୂଚନା ଦିଆଯାଇଛି ।

ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ସମସ୍ତ ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା । ଆଜି ଶ୍ରୀମନ୍ଦିର ଆକାଉଣ୍ଟକୁ ୩୯୭ କୋଟି ଟଙ୍କା ଫେରିଥିବା ବେଳେ ଅବଶିଷ୍ଟ ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ ତାରିଖରେ ମ୍ୟାଚୁରିଟି ପାଇବ । ତେବେ ସଠିକ ସମୟରେ ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ସମସ୍ତ  ଟଙ୍କା ଉଠାଣ କରାଯିବ ବୋଲି ଗତକାଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ୟେସ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ ସାମୟିକ ବନ୍ଦ ବା କଟକଣା ଲଗାଇବା ପରେ ବ୍ୟାଙ୍କ ବନ୍ଦ ରହିଥିଲା । ଟୁଇଟ କରି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଏବେ ଠାରୁ କାର୍ଯ୍ୟକ୍ଷମ ହେଲା ବ୍ୟାଙ୍କ । ଗ୍ରାହକ ଏବଂ ଜମାକାରୀମାନେ ସେମାନଙ୍କର ବ୍ୟାଙ୍କ କାରବାର କରିପାରିବେ । ମାର୍ଚ୍ଚ ୫ ତାରିଖରେ ଏହି କଟକଣା ଲଗାଇଥିଲା ଆରବିଆଇ ।