ଦ୍ୱିତୀୟ ପର୍ଯ୍ୟାୟରେ ଫେରିଲା ଶ୍ରୀମନ୍ଦିର ଟଙ୍କା : ୟେସ ବ୍ୟାଙ୍କରୁ ସୁଧମୂଳ ସହ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଫେରିଲା ମହାପ୍ରଭୁଙ୍କ ୧୫୬କୋଟି, ପୂର୍ବରୁ ଫେରିଥିଲା ୩୯୭ କୋଟି ୨୩ ଲକ୍ଷ ଟଙ୍କା

415

କନକ ବ୍ୟୁରୋ : ଫେରି ଆସିଲା ଜଗାର ଟଙ୍କା । ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ବକେୟା ଜମା ଟଙ୍କା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାରେ ଜମା କରାଯାଇଛି । ପୂର୍ବ ସୂଚନା ମୁତାବକ ମାଚ୍ୟୁରିଟି ହେବା ପରେ ଆଜି ଟଙ୍କା ଫେରିଛି ।  ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଇ-ଟ୍ରାନ୍ସଫର ହୋଇଥିଲା । ୟେସ୍ ବ୍ୟାଙ୍କ ଚଳାଚଳ ଉପରେ ଆରବିଆଇ କଟକଣା ଲଗାଇବା ପରେ ଶ୍ରୀମନ୍ଦିର ଟଙ୍କା ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ସୂଚନା ମୁତାବକ, ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ଦଫାରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା କେବଳ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଗୋଟିଏ ବ୍ୟାଙ୍କରେ ସବୁ ତକ ଟଙ୍କା ରଖିବା ନିୟମ ବିରୋଧୀ ହୋଇଥିଲେ ବି ସବୁତକ ଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିଥିଲେ। ଏପରିକି ମହାପ୍ରଭୁଙ୍କ ଫାଉଣ୍ଡେସନ ଫଣ୍ଡ ବା ହୁଣ୍ଡି ଟଙ୍କା ଏସ୍‌ବିଆଇ ରହିବାର ନିୟମ ଥିବା ବେଳେ ଏହାକୁ ୟେସ୍ ବ୍ୟାଙ୍କରେ ରଖାଯାଇଥିଲା।