ଭୁବନେଶ୍ୱରରେ ମହାପ୍ରଭୁଙ୍କ ରଘୁନାଥ ବେଶ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ : କହିଲେ ସୀମା ଭିତରେ ରହୁ ଭକ୍ତି ଓ ମର୍ଯ୍ୟଦା

ତଦନ୍ତ ଦାବି କଲେ ଜଗନ୍ନାଥ ଗବେଷକ

134

କନକ ବ୍ୟୁରୋ : ଭୁବନେଶ୍ୱରରେ ମହାପ୍ରଭୁ ଜଗନ୍ନାଥଙ୍କ ରଘୁନାଥ ବେଶକୁ ନେଇ ତେଜିଲା ବିବାଦ । ରତ୍ନ ସିଂହାସନ ବାହାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । କହିଛନ୍ତି ଭକ୍ତି ଭାବନା ମର୍ଯ୍ୟଦା ସୀମା ଭିତରେ ରହିବା ଦରକାର । ସେପଟେ ଜଗନ୍ନାଥ ସଂସ୍କୃତି ଗବେଷକ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ।

ମହାପ୍ରଭୁଙ୍କୁ ନେଇ ଚାଲିଛି ବ୍ୟବସାୟ । ଭୁବନେଶ୍ୱରରେ ଶ୍ରୀଜିଉଙ୍କ ଦୁର୍ଲଭ ରଘୁନାଥ ବେଶ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ପୁରାଣ ଅନୁସାରେ ସ୍ୱତନ୍ତ୍ର ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ହୋଇଥାଏ । କିଛି ସେବାୟତ ଓ ଏକ ସଂସ୍ଥା ପକ୍ଷରୁ ଭୁବନେଶ୍ୱରରେ ଚତୁର୍ଦ୍ଧା ମୂର୍ତିଙ୍କ ରଘୁନାଥ ବେଶ ପ୍ରଦର୍ଶନ କରାଯିବା ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି ଜଗଦଗୁରୁ ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସମସ୍ତ ବେଶ ରତ୍ନସିଂହାସନ ଉପରେ ହୋଇଥାଏ । କେବଳ ସୁନା ବେଶ ରଥ ଉପରେ କରାଯାଇଥାଏ । ସିଂହାରୀ ସେବାୟତ ମହାପ୍ରଭୁଙ୍କ ବେଶ କରିବାର ନିୟମ ରହିଛି । ରାମାଭିଷେକ ପର୍ବରେ ବଡଠାକୁରଙ୍କ ରଘୁନାଥ ବେଶ କରାଯାଇଥାଏ । ୧୯୦୦ ମସିହାରେ ଶ୍ରୀମନ୍ଦିରରେ ଏହି ବେଶ ଅନୁଷ୍ଠିତ ହେଇଥିଲା । ଭୁବନେଶ୍ୱରରେ ହୋଇଥିବା ଶ୍ରୀଜିଉଙ୍କ ରଘୁନାଥ ବେଶ ପରମ୍ପରା ବିରୋଧୀ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । ଅନଭିଜ୍ଞ ଲୋକଙ୍କ ଦ୍ୱାରା ଶ୍ରୀଜିଉଙ୍କ ରଘୁନାଥ ବେଶରେ ତୃଟି ରହିଛି, ତେଣୁ ଏହାର ବିଦ୍ଧିବଧ ତଦନ୍ତ ଦାବି କରିଛନ୍ତି ଗବେଷକ ।

ଅସମୟରେ ରତ୍ନ ସିଂହାସନ ବାହାରେ ମହାପ୍ରଭୁଙ୍କ ରଘୁନାଥ ବେଶ କରିବା ମହାବିପତ୍ତିକୁ ଟାଣି ଆଣିବ ବୋଲି କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ । ପୁରାଣ ହେଉ ବା ଶାସ୍ତ୍ର ସବୁଠି ଉଲ୍ଲେଖ ରହିଛି ଜଗନ୍ନାଥଙ୍କ ବେଶ ରତ୍ନ ସିଂହାସନରେ କରାଯିବ ବିଧି ସମ୍ମତ ।