ଫୋନିର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୨୨ସୁଦ୍ଧା ଦାଖଲ କରିବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ : ବାତ୍ୟାର ସମୀକ୍ଷା ପରେ ନିର୍ଦ୍ଦେଶ ଦେଲେ ଏସଆରସି, ରିପୋର୍ଟ ପାଇବା ପରେ ମଗାଯିବ ସହାୟତା

48

କନକ ବ୍ୟୁରୋ : ବାତ୍ୟା ଫୋନିର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ରିଲିଫ କମିଶନର । ଏହି ରିପୋର୍ଟ ପାଇବା ପରେ ଏନଡିଆରଏଫରୁ ସହାୟତା ପାଇଁ କେନ୍ଦ୍ରକୁ ସ୍ମାରକ ପତ୍ର ଦିଆଯିବ । ଗୁରୁବାର ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଫୋନି ବାତ୍ୟାର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇଥିଲେ ।

ସେପଟେ ଗତକାଲି କେନ୍ଦ୍ରାପଡାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଫୋନି କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡାରେ ପାନୀୟ ଜଳ ଓ ବିଜୁଳି ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଜିଲ୍ଲାରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ବାବଦକୁ ୨ କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି କ୍ଷତିଗ୍ରସ୍ତ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବିଲଡିଂ, ପଂଚାୟତସ୍ତରରେ ସାଧାରଣ ଲୋକବ୍ୟବହାର କରୁଥିବା ସଂପତିର ପୁନରୁଦ୍ଧାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।