dhoni Photograph: (google)
କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ କୁଲ୍ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଆଉ ଏବେ ନିୟମ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆଗାମୀ ଆଇପିଏଲ୍ ପାଇଁ ପ୍ରସ୍ତୁତି ଚଳାଇଥିବା ମାହି ଏବେ ଟ୍ରାଫିକ୍ ନିୟମ ଜାଲରେ ଫସିଯାଇଛନ୍ତି । ପଡ଼ିଆରେ ନିଜର ଶାନ୍ତ ସ୍ୱଭାବ ପାଇଁ ଜଣାଶୁଣା ଧୋନୀଙ୍କୁ ରାଞ୍ଚି ରାଜପଥରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି । ଆଉ ମାହିଙ୍କ ନାମରେ କଟିଛି ଇ-ଚାଲାଣ ।
ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ଟେନ୍ସନ୍ ଦେବେ ୫ ଖେଳାଳି !
ଭାରତୀୟ କ୍ରିକେଟର ଜଣେ ସଫଳ ଅଧିନାୟକ ତଥା ସିଏସକେର ଷ୍ଟାର୍ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଏବେ ବିବାଦ ଘେରରେ । ଘଟଣାଟି ଘଟିଛି ଗତ ରବିବାର ଦିନ, ଯେତେବେଳେ ଧୋନୀ ନିଜର ପସନ୍ଦର ମର୍ସିଡିଜ୍ କାର୍ ଧରି ରାଞ୍ଚିର କାଙ୍କେ ରିଙ୍ଗ୍ ରୋଡ୍ ଦେଇ ଯାଉଥିଲେ । ସେହି ରାସ୍ତାରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ଧାର୍ଯ୍ୟ କରାଯାଇଥିବା ବେଳେ ଧୋନୀଙ୍କ କାର୍ ୯୧ କିଲୋମିଟର ବେଗରେ ଯାଉଥିବା କ୍ୟାମେରାରେ କଏଦ ହୋଇଥିଲା ।
ଝାଡ଼ଖଣ୍ଡ ଟ୍ରାଫିକ୍ ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୋଟର ଯାନ ଆଇନ ୧୯୮୮ର ଉଲ୍ଲଂଘନ ଅଭିଯୋଗରେ ଧୋନୀଙ୍କ ଉପରେ ୧୦୦୦ ଟଙ୍କାର ଜରିମାନା କରାଯାଇଛି । ସ୍ପିଡ୍ ଗନ୍ ଏବଂ ରାସ୍ତା କଡ଼ରେ ଲାଗିଥିବା ହାଇ-ଟେକ୍ କ୍ୟାମେରା ମାହିଙ୍କ ଗାଡ଼ିର ଗତିକୁ ଚିହ୍ନଟ କରିବା ପରେ ଏହି ଇ-ଚାଲାଣ ଜାରି କରାଯାଇଛି ।
ଧୋନୀଙ୍କ ପାଇଁ ସମସ୍ୟା ଏତିକିରେ ସରିନାହିଁ । କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ପକ୍ଷରୁ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କୁ ବାସଭବନ ପାଇଁ ଯେଉଁ ପ୍ଲଟ୍ ଆବଣ୍ଟିତ ହୋଇଥିଲା, ସେଠାରେ ବାଣିଜ୍ୟିକ କାର୍ଯ୍ୟକଳାପ ବା ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ନିୟମ ଅନୁଯାୟୀ, ଆବାସିକ ପ୍ଲଟକୁ କୌଣସି ବ୍ୟବସାୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ମାହି ସେଠାରେ ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଚଳାଉଥିବା ନେଇ ବୋର୍ଡ ଆପତ୍ତି ଉଠାଇଛି ।
ଏପଟେ ଆଇପିଏଲ୍ ସିଜିନ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଜଣେ ଜାତୀୟ ଆଇକନଙ୍କ ନାମରେ ଏଭଳି ବାରମ୍ବାର ବିବାଦ ଉଠିବା ତାଙ୍କ ପ୍ରଶଂସକଙ୍କୁ କିଛିଟା ଚିନ୍ତାରେ ପକାଇଛି । ହେଲେ ମାହି ସବୁବେଳେ ନିଜର ଶାନ୍ତ ମନୋଭାବ ପାଇଁ ପରିଚିତ । ଆଶା କରାଯାଉଛି ସେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରି ପଡ଼ିଆକୁ ଓହ୍ଲାଇବେ ।
Follow Us